ଦେବଗଡ଼,ଏନ୍ଏନ୍ଏସ୍: ବାରକୋଟ ଥାନା ବାଇଧରନଗର ରେମଲା ସାହି ନିକଟ ଚାଷ ଜମିରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହା ଏକ ହତ୍ୟାକାଣ୍ଡ ବୋଲି ଥାନାରେ ଅଭିଯୋଗ ହେବାପରେ ବାରକୋଟ ପୁଲିସ ସନ୍ଦେହରେ ୪ ଜଣକୁ ଅଟକ ରଖିବା ସହ ଏକ ହତ୍ୟା ମାମଲା ରୁଜୁ କରିଛି। ସୂଚନା ଅନୁଯାୟୀ, ଶୁକ୍ରବାର ଅପରାହ୍ଣରେ ଦେପତଲା ଗ୍ରାମର ରୀତା ମହାକୁଳ ଓ ଅର୍ଜ୍ଜୁନ ମହାକୁଳ ମୃତକଙ୍କ ଭାଇ ଗୋକୁଳ ମହାକୁଳଙ୍କ ଘରକୁଯାଇ ସୋନୁଙ୍କ ମୃତଦେହ ବାଇଧରନଗର ଗ୍ରାମ ମୁଣ୍ଡ ଚାଷ ଜମିରେ ପଡିଥିବା ସୂଚନା ଦେଇଥିଲେ। ଏହାପରେ ଗୋକୁଳ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଦେଖିବାପରେ ଗ୍ରାମରେ ପଚରାଉଚରା କରିଥିଲେ। ଏହାପରେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ବାରକୋଟ ଥାନା ଅଧିକାରୀ ରାଜେନ୍ଦ୍ର କୁମାର ମହାପାତ୍ର ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପ୍ରକାଶ ଯେ,ଏହି ଘଟଣାରେ ପୁଲିସ ଗ୍ରାମର ଏକାଧିକ ବ୍ୟକ୍ତିଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡ଼ିଛି।