ଇଡ୍ଡୁକି ଭୂ-ସ୍ଖଳନରେ ମୃତ୍ୟୁସଂଖ୍ୟା ୨୪କୁ ବୃଦ୍ଧି

ଥିରୁଅନନ୍ତପୁରମ୍,ଏଜେନ୍ସି: ଭାରୀବର୍ଷାରେ କେରଳର ଇଡ୍ଡୁକି ଜିଲ୍ଲାରେ ଭୂ-ସ୍ଖଳନ ଯୋଗୁଁ ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି। ଭାରୀ ବର୍ଷା ସତ୍ତ୍ବେ ଉଦ୍ଧାର କାର୍ଯ୍ୟ ଜାରିରହିଛି। ଅଗ୍ନିଶମ କର୍ମୀ ଏବଂ ସ୍ଥାନୀୟ ଲୋକ ଏନଡିଆରଏଫର ଦୁଇଟି ଟିମ୍ ସହ ମିଶି ଉଦ୍ଧାର କାର୍ଯ୍ୟରେ ଲାଗିଥିବା ଇଡ୍ଡୁକି ଜିଲ୍ଲାପାଳ ଏଚ୍ ଦିନେଶ ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟମ୍ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ଭୂ-ସ୍ଖଳନ ଆଶଙ୍କା ଥିବା ଅଞ୍ଚଳମାନଙ୍କରୁ ଲୋକଙ୍କୁ ସ୍ଥାନାନ୍ତରିତ କରିବା ପ୍ରକ୍ରିୟା ଚାଲୁ ରହିଥିଲା। ହେଲେ ରାଜମାଲା ଭୂ-ସ୍ଖଳନ ଘଟଣା ଅପ୍ରତ୍ୟାଶିତ ଥିବାରୁ କୌଣସି ପଦକ୍ଷେପ ନିଆଯାଇପାରିନଥିଲା। ସୂଚନାଯୋଗ୍ୟ, ରାଜମାଲାରେ ଏକ ଚା’ ବଗିଚାରେ ତଳିଆ ଅଞ୍ଚଳରେ ବଗିଚା ଶ୍ରମିକଙ୍କ ପରିବାରର ୩୦ଟି କୋଠରିରେ ୭୮ଜଣ ଲୋକ ରହୁଥିବା ବେଳେ ଭୂ-ସ୍ଖଳନ ଘଟିଥିଲା। ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ନେଟୱାର୍କ ନଥିବାରୁ କୌଣସି ଯୋଗାଯୋଗ ନହୋଇପାରିବା କାରଣରୁ ଭୂ-ସ୍ଖଳନ ସମ୍ପର୍କରେ ଗୋଟିଏ ଦିନ ପରେ ଖବର ଆସିଥିଲା।