ଭାରତରେ ପୁଣି ମୁଣ୍ଡ ନେଲା କରୋନା ଭାଇରସ, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୧୩କୁ ଛୁଇଁଲା। ମହାମାରୀ କରୋନାରେ ଆଉ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ବୁଧବାର ବିଳମ୍ବିତ ରାତିରେ ଗୁଜରାଟର ଅହମଦାବାଦରେ ଜଣେ ୮୫ ବର୍ଷୀୟ ବୃଦ୍ଧା କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ବୃଦ୍ଧାଙ୍କ ମୃତ୍ୟୁ ପରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୩ ଛୁଇଁଛି। ବୁଧବାର ଦେଶରେ ୯୦ରୁ ଅଧିକ ଲୋକ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୬ଶହ ୬୪ ରେ ପହଞ୍ଚିଛି।

ମହାରାଷ୍ଟ୍ର ସର୍ବାଧିକ ୧୨୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହା ପଛକୁ କେରଳରେ ୧୦୯ ଜଣ କରୋନା ଆକ୍ରାନ୍ତ ରହିଛନ୍ତି। ଉତ୍ତର ପ୍ରଦେଶରେ ୩୭ରେ , କର୍ଣ୍ଣାଟକାରେ ୪୧, ତେଲେଙ୍ଗାନାରେ ୩୫ ଓ ରାଜସ୍ଥାନରେ ୩୬ ,ଦିଲ୍ଲୀରେ ୩୫ , ହରିଆଣାରେ ୨୮, ପଞ୍ଜାବରେ ୨୯, ଲଦାଖରେ ୧୩, ତାମିଲନାଡୁରେ ୧୮, ପଶ୍ଚିମବଙ୍ଗରେ ୯, ଆନ୍ଧ୍ର ପ୍ରଦେଶରେ ୯, ଚଣ୍ଡିଗଡ଼ରେ ୭, ଜମ୍ମୁ-କଶ୍ମୀରରେ ୭, ଉତ୍ତରାଖଣ୍ଡରେ ୪, ବିହାରରେ ୪, ହିମାଚଳ ପ୍ରଦେଶରେ ୩, ପୁଡ଼ୁଚେରୀରେ ୨, ଓଡ଼ିଶାରେ ୨, ମଣିପୁର ଓ ଛତିଶଗଡ଼ରେ ଜଣେ ଲେଖାଏ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେପଟେ ମିଜୋରାମରେ ପ୍ରଥମଥର ପାଇଁ ଜଣେ ବ୍ୟକ୍ତିଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଛି। ତାଙ୍କୁ ଜୋରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।