କରୋନା ସଚେତନତା : ଅଣ୍ଟା ଭିଡ଼ିଲେ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ

ଦେବଗଡ,ଏନଏନଏସ : ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମାକ୍ସ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ବଜାର ବନ୍ଦ ଯୋଗୁଁ ମାକ୍ସର ଅଭାବ ପରିଲକ୍ଷିତ ହୋଇଛି। ତେବେ ଏହି ଜରୁରୀ କାଳିନ ଅତ୍ୟାବଶ୍ୟକ ସାମଗ୍ରୀର ଉତ୍ପାଦନ ଓ ବିକ୍ରୀ ପାଇଁ ଜିଲ୍ଲାର ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ଅଂଟାଭିଡିଥିବା ଦେଖିବାକୁ ମିଳିଛି। ମହିଳା ସ୍ୱଂୟ ସହାୟକ ଗୋଷ୍ଠୀଙ୍କ ଏଭଳି ମହତ ଉଦ୍ୟମ ବାରକୋଟ ବ୍ଲକ ବଳମ ପଚାଂୟତ ଅନ୍ତର୍ଗତ ଗୈାଡନାଳୀ ଗ୍ରାମରେ।

ଆର୍ଥିକ ଅନଗ୍ରସର ଦେବଗଡ ଜିଲ୍ଲାର ମହିଳାଙ୍କୁ ସ୍ୱାବଲମ୍ବି କରିବା ଉଦ୍ଦେଶ୍ୟରେ ମିଶନ ଶକ୍ତି ବିଭାଗ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ମହିଳାଙ୍କୁ ସ୍ୱାବଲମ୍ବି ଉଦ୍ଦେଶ୍ୟରେ ପ୍ରଶିକ୍ଷଣ ଦିଆଯାଇଥିବା ବେଳେ ଦୃଢ ମନୋବଳ ଯୋଗୁଁ ମହିଳାମାନେ କିଛି ନୂତନ କରିବା ପାଇଁ ଭିନ୍ନ ଭିନ୍ନ ଚିନ୍ତାକୁ ବାସ୍ତବିକ ରୂପ ଦେଇପାରିଛନ୍ତି। କରୋନା ମୁକାବିଲା ପାଇଁ ସାରା ଦେଶ ଲକ ଡାଉନ ଭଳି ପରିସ୍ଥିତି ଦେଇ ଗତି କରୁଥିବା ବେଳେ ବିଭିନ୍ନ ଅନୁଷ୍ଠାନ ଓ ଦୋକାନ ବଜାର ଆଦି ବନ୍ଦ ରହିବା ଫଳରେ ଜନସାଧାରଣ ରୋଜଗାର ହରାଇ ଆର୍ଥିକ ଅନାଟନ ଦେଇ ଗତି କରିବାକୁ ବାଧ୍ୟ ହୋଇଛନ୍ତି।

ତେବେ ଏଭଳି ସମୟରେ ଗୈାଡନାଳୀ ଗ୍ରାମର ମାଁ ଶୁଭଲକ୍ଷ୍ମୀ ମହିଲା ସ୍ୱଂୟ ସହାୟକ ଗୋଷ୍ଠୀର ସଭାନେତ୍ରୀ ସରସ୍ୱତୀ କିସାନ,ଆଦିବାସୀ ମହିଳା ବିକାଶ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀର ସଭାନେତ୍ରୀ ମଞ୍ଜୁ କିସାନ ,ମାଁ ମହାମାୟୀ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀର ସଭାନେତ୍ରୀ ରଞ୍ଜିତା ସାହୁ ଓ ମାଁ’ ମହାଲକ୍ଷ୍ମୀ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀର ସଭାନେତ୍ରୀ ଗୁନବତୀ ମାଝୀ ପ୍ରମୁଖନିଜ ନିଜ ଗୋଷ୍ଠୀର ସଦସ୍ୟାଙ୍କ ସହ ଆଲୋଚନା କରି ସିଲେଇ କାର୍ଯ୍ୟ ଶିଖିଥିବା ସଦସ୍ୟାମାନଙ୍କୁ ନେଇ ଗ୍ରାମରେ ଥିବା ମହିଳାଗୋଷ୍ଠୀଙ୍କ କ୍ଲବ ଗୃହ ଠାରେ ମାକ୍ସ ତିଆରି କରି ଆଖ ପାଖ ଅଂଚଳର ଗରିବ ତଥା ଆର୍ଥିକ ଅନଗ୍ରସର ଜନସାଧାରଣଙ୍କୁ ମାଗଣାରେ ବଂଟନ କରି ସେମାନଙ୍କୁ କରୋନା ସମ୍ପର୍କିତ ସଚେତନ କରିବା ସହ ୧୦ଟଙ୍କା ମୁଲ୍ୟରେ ଅନ୍ୟାନ୍ୟ ଜନସାଧାରଣଙ୍କୁ ମାକ୍ସ ଯୋଗାଇ ଚାଲିଛନ୍ତି।

ମହିଳା ସ୍ୱଂୟ ସହାୟକ ଗୋଷ୍ଠୀର ଏଭଳି ଉଦ୍ୟମ ଫଳରେ ରୋଜଗାର ସହ ଦେଶ ହିତରେ ନିଜର ପ୍ରତିଭାକୁ ବିନିଯୋଗ କରିପାରିଥିବାରୁ ପ୍ରତିଟି ସଦସ୍ୟା ଗର୍ବିତ ଅନୁଭବ କରୁଥିବା ପ୍ରକାଶ କରିଛନ୍ତି।