ମୁକ ବଧିର ଯୁବତୀଙ୍କୁ ଦୁଷ୍କର୍ମ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ବାରକୋଟ ଥାନା ଅନ୍ତର୍ଗତ ଲାଣ୍ଡିଝରି ଗ୍ରାମରେ ଜଣେ ମୁକ ବଧିର ଯୁବତୀ ଦୁଷ୍କର୍ମର ଶିକାର ହୋଇଥିବା ନେଇ ବାରକୋଟ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି । ଅଭିଯୁକ୍ତ ଜଣକ ହେଲେ ଲାଣ୍ଡିଝରି ଗ୍ରାମର ହିମାଂଶୁ ପ୍ରଧାନ ।

ମିଳିଥିବା ରିପୋର୍ଟ ମୁତାବକ, ଗତ ୨୩ ତାରିଖରେ ପୀଡ଼ିତା ଦଳିତ ଯୁବତୀ ଜଣକ ଗାଧୋଇବାକୁ ଯାଉଥିବାବେଳେ ଏକୁଟିଆ ଥିବାର ସୁଯୋଗ ନେଇ ଅଭିଯୁକ୍ତ ବଳପୂର୍ବକ ଦୁଷ୍କର୍ମ କରିଥିଲା । ଏନେଇ ପୀଡ଼ିତା ଜଣକ ଠାର ମାଧ୍ୟମରେ ନିଜ ପରିବାର ଲୋକଙ୍କୁ ଜଣାଇବା ପରେ ସେମାନେ ଘଟଣା ସମ୍ପର୍କରେ ଜାଣିଥିଲେ । ଅନ୍ୟପଟେ ଅଭିଯୁକ୍ତ ଓ ତାଙ୍କ ପରିବାର ସଦସ୍ୟ ପୀଡ଼ତା ପରିବାର ଉପରେ ଘଟଣାକୁ ଚପାଇବା ପାଇଁ ଚାପ ପକାଇବାରୁ ସେମାନେ ଥାନାକୁ ଆସି ପାରୁନଥିଲେ । ଗତକାଲି ପୀଡ଼ିତାଙ୍କ ପରିବାର ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିବା ସହ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ର ନିଜେ ଘଟଣାର ତଦନ୍ତ କରି ଅଭିଯୁକ୍ତ ବିରୁଦ୍ଧରେ ଦୁଷ୍କର୍ମ, ଆଟ୍ରୋସିଟି ଆକ୍ଟରେ ମାମଲା ରୁଜୁ କରି ଆଜି ଡାକ୍ତରୀ ମାଇନା ପାଇଁ ପଠାଇଛି । ଅଭିଯୁକ୍ତର ଟିଆଇ ପ୍ୟାରେଡ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।