୨୦୪୧ ସୁଦ୍ଧା ଭାରତରେ ସାଂଘାତିକ ଗ୍ରୀଷ୍ମପ୍ରବାହ!

ନୂଆଦିଲ୍ଲୀ,ଏଜେନ୍ସି: ଜୁଲାଇ ୩ ସୁଦ୍ଧା ଦେଶରେ ମୌସୁମୀ ସ୍ୱାଭାବିକ ହୋଇନଥିବାବେଳେ ଦିଲ୍ଲୀ ସମେତ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳ ବର୍ତ୍ତମାନ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଦ୍ୱାରା ପ୍ରଭାବିତ ହେଉଛି। ପାଣିପାଗ କାର୍ଯ୍ୟାଳୟର ସୂଚନା ଅନୁଯାୟୀ ଏହି ପ୍ରକ୍ରିୟା ଆଗାମୀ ସପ୍ତାହ ପର୍ଯ୍ୟନ୍ତ ବଳବତ୍ତର ରହିପାରେ। ତେବେ ମିଳିଥିବା ଏକ ରିପୋର୍ଟ ଅନୁଯାୟୀ ୨୦୪୧ ସୁଦ୍ଧା ଭାରତରେ ଗ୍ରୀଷ୍ମପ୍ରବାହ ସାଂଘାତିକ ରୂପ ଧାରଣ କରିବାର ଆଶଙ୍କା ରହିଛି।

ତଦନୁଯାୟୀ ରାଜଧାନୀ ଦିଲ୍ଲୀର ତାପମାତ୍ରା ୪୯.୩ ଡିଗ୍ରୀ ସେଲସିୟସ ଛୁଇଁବାର ସମ୍ଭାବନା ରହିଛି। ଚେନ୍ନାଇରେ ପ୍ରବଳ ଗ୍ରୀଷ୍ମପ୍ରବାହ ପ୍ରଭାବରେ ପ୍ରାୟ ୧୮,୦୦୦ ଲୋକ ପ୍ରାଣ ହରାଇ ପାରନ୍ତି ବୋଲି ରିପୋର୍ଟରେ କୁହାଯାଇଛି। ବର୍ତ୍ତମାନ ଦିଲ୍ଲୀର ତାପମାତ୍ରା ୪୩.୫ ଡିଗ୍ରୀ ସେଲସିୟସ ରହିଛି ଯାହା ଚଳିତବର୍ଷର ସର୍ବାଧିକ ବୋଲି ଜଣାପଡିଛି। ଜୁଲାଇ ୭ ପରେ ଉତ୍ତର ଭାରତରେ ମୌସୁମୀ ବର୍ଷା ସ୍ଥିତିକୁ ଲାଘବ କରିବାର ସମ୍ଭାବନା ରହିଛି। ଦି ଇକୋନୋମିଷ୍ଟ ପତ୍ରିକା ପକ୍ଷରୁ ପ୍ରତିବର୍ଷ ଦେଶର ତାପମାତ୍ରା ସମ୍ପର୍କିତ ରିପୋର୍ଟ ପ୍ରକାଶିତ ହୋଇଥାଏ। ବର୍ଷ ତମାମ ଘଟୁଥିବା ବିଭିନ୍ନ ପ୍ରସଙ୍ଗର ପରିବର୍ତ୍ତନକୁ ତର୍ଜମା କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥାଏ।

ଦକ୍ଷିଣ ଭାରତରେ ଗ୍ରଷ୍ମପ୍ରବାହର ଅଧିକ ପ୍ରଭାବ ପରିଲକ୍ଷିତ ହେବ ବୋଲି କୁହାଯାଇଛି। ଚେନ୍ନାଇରେ ସହସ୍ରାଧିକ ଲୋକ ଗ୍ରୀଷ୍ମପ୍ରବାହ ଯୋଗୁଁ ଅସୁସ୍ଥ ହେବା ସହିତ ଡାକ୍ତରଖାନାରେ ଭର୍ତ୍ତି ହେବାର ଆଶଙ୍କା ରହିଛି। ପୁନଶ୍ଚ ବିଗତ ୨୬ ବର୍ଷ ଧରି ହାଇଦ୍ରାବାଦର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ୨୦୧୫ରେ ଏହି କାରଣରୁ ହାଇଦ୍ରାବାଦ ଓ ଏହାର ପାଖାପାଖି ଅଞ୍ଚଳରେ ୫୮୫ ଲୋକ ପ୍ରାଣ ହରାଇଥିଲେ। ଏହି ଦୁଃଖଦ ଘଟଣା ପରେ ରାଜ୍ୟ ସରକାର ଗ୍ରୀଷ୍ମ ଦାଉରୁ ବର୍ତ୍ତିବାକୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଥିଲେ ସୁଦ୍ଧା ଏତେଟା ସୁଫଳ ମିଳୁନଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।