ଯାଜପୁରରେ ଗୋଟିଏ ପରିବାରକୁ ମରଣାନ୍ତକ ଆକ୍ରମଣ, ମା’ ମୃତ ଓ ବାପ-ଝିଅ ଗୁରୁତର

ଯାଜପୁର,ଏନ୍ଏନ୍ଏସ୍: ଯାଜପୁର ଜିଲ୍ଲାର ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ଗାଁରେ ଗତକାଲି ରାତିରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗୋଟିଏ ପରିବାରର ୩ ଜଣଙ୍କୁ ମରାଣାନ୍ତକ ଆକ୍ରମଣ କରିଥିବା ଜଣାପଡ଼ିଛି। ଆକ୍ରମଣରେ ମା’ର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ବାପା ଓ ଝିଅଙ୍କୁ ଗୁରୁତର ଅବସ୍ଥାରେ କଟକ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ମୃତକ ଜଣଙ୍କ ହେଲେ ଶିକ୍ଷୟିତ୍ରୀ ତରୁଲତା ବିଶ୍ୱାଳ (୩୮)। ଶିକ୍ଷୟିତ୍ରୀଙ୍କ ସ୍ୱାମୀ ନିତ୍ୟାନନ୍ଦ ମଲ୍ଲିକ ଓ ଝିଅ ସୁଭଶ୍ରୀ ମଲ୍ଲିକ(୧୩) ଗୁରୁତର ହୋଇଛନ୍ତି।

ସୂଚନାନୁସାରେ, ଗତକାଲି ରାତ୍ରିରେ ତରୁଲତା, ନିତ୍ୟାନନ୍ଦ ଓ ଶୁଭଶ୍ରୀ ଖାଇସାରି ଶୋଇଥିବା ବେଳେ ଦୁର୍ବୃତ୍ତମାନେ ସେମାନଙ୍କ ଉପରକୁ ଆକ୍ରମଣ କରିଥିଲେ। ତେବେ କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି ଏବଂ ଏହି ଘଟଣାରେ କିଏ ସମ୍ପୃକ୍ତ ଅଛି, ତାହା ଜଣାପଡ଼ି ନାହିଁ। ସୂଚନାପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିଛି। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟଣା ଘଟିଥିବା ସନ୍ଦେହ କରାଯାଉଛି।