ଏକତରଫା ପ୍ରେମକୁ ନେଇ ବାପା-ଝିଅଙ୍କୁ ମରଣାନ୍ତକ ଆକ୍ରମଣ

ଭଦ୍ରକ,ଏନ୍ଏନ୍ଏସ୍: ଭଦ୍ରକ ଗ୍ରାମାଞ୍ଚଳ ଥାନା କେନ୍ଦୁଆପଦା ଡାଳିମ୍ବଗଡ଼ିଆ ଛକରେ ଶନିବାର ରାତିରେ ଜଣେ ବ୍ୟକ୍ତି ଏବଂ ତାଙ୍କ ଝିଅଙ୍କ ଉପରକୁ ମରଣାନ୍ତକ ଆକ୍ରମଣ ହୋଇଛି। ଏଥିରେ ଉଭୟ ଗୁରୁତର ହୋଇଥିବାବେଳେ ସେମାନଙ୍କୁ ଚିକିତ୍ସାଲାଗି କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଏକ ତରଫା ପ୍ରେମ ବିଫଳ ହେବାରୁ ଏଭଳି ମରଣାନ୍ତକ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି।

ସୂଚନା ଅନୁସାରେ ବନ୍ତ ଥାନା ଅନ୍ତର୍ଗତ ଦୋଳପଦି ଗ୍ରାମର ଜଣେ ବ୍ୟକ୍ତି ତାଙ୍କ ଝିଅକୁ ନେଇ କଟକ ଡାକ୍ତରଖାନା ଯାଇଥିଲେ। ଡିଗତରାଟି ଏମ୍‌ୟୁ ଟ୍ରେନ୍‌ରୁ କେନ୍ଦୁଆପଡ଼ା ଷ୍ଟେସନରେ ଓହ୍ଲାଇ ସ୍କୁଟି ଯୋଗେ ଘରକୁ ଫେରୁଥିଲେ। ରାତି ୧୦ଟା ସମୟରେ ଉକ୍ତ ଛକ ନିକଟରେ ଯୁବକ ଜଣଙ୍କ ୨ଜଣଙ୍କୁ ଆକ୍ରମଣ କରିଥିଲେ।

ଫଳରେ ଉଭୟ ବାପା-ଝିଅ ଗୁରୁତର ଆହତ ହୋଇଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରି ସେମାନଙ୍କୁୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ସ୍ବାସ୍ଥାବସ୍ଥା ଗୁରୁତର ହେବାରୁ ଦୁଇଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତଜଣଙ୍କ ଫେରାର ହୋଇଯାଇଛନ୍ତି।