୪ ଦିନ ପରେ ଉଠିଲା ମାଆ-ଝିଅଙ୍କ ମୃତଦେହ; ବିଡିଓ, ତହସିଲଦାର, ଆଇଆଇସି ୪ ଘଣ୍ଟା ଅଟକ

ରାଜନଗର,ଏନ୍‌ଏନ୍‌ଏସ୍‌: ରାଜନଗର ଥାନା ଅନ୍ତର୍ଗତ ମାଣପଡ଼ାଗାଁରେ ପତିତପାବନ ନାଥଙ୍କ ସ୍ତ୍ରୀ ପ୍ରମିଳା ଓ ତାଙ୍କ ଝିଅ ସତ୍ୟପ୍ରିୟା ନିଖୋଜ ନେଇ ଥାନାରେ ଅଭିଯୋଗ ହେବାର ୧୨ ଘଣ୍ଟା ପରେ ଉଭୟଙ୍କ ମୃତଦେହ ମିଳିଥିଲା। ମାଆର ମୃତଦେହ ହଂସୁଆ ନଦୀରୁ ଓ ଝିଅର ଶବ ମାମୁଘର ପୋଖରୀରୁ ମିଳିଥିଲା। ଝିଅର ଶବ ବ୍ୟବଚ୍ଛେଦ ବେଳେ ପେଟରୁ ୮ମାସର ଶିଶୁକନ୍ୟା ମଧ୍ୟ ମିଳିଥିଲା। ମାଆ-ଝିଅଙ୍କୁ ହତ୍ୟା କରାଯାଇଛି ବୋଲି ଗ୍ରାମବାସୀ ଓ ପତିତପାବନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ୨୦ ତାରିଖ ଅପରାହ୍ଣ ସୁଦ୍ଧା ଝିଅର ମୃତଦେହ ବ୍ୟବଚ୍ଛେଦ ସରିଥିବା ବେଳେ ୨୧ ତାରିଖ ଦିନ ମାଆର ମୃତଦେହ ବ୍ୟବଚ୍ଛେଦ ହୋଇଥିଲା। ମାତ୍ର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଗ୍ରାମବାସୀ ପ୍ରଥମେ ରାଜନଗର ଥାନା ଆଗରେ ଓ ପରେ ଗାଁରେ ଆନ୍ଦୋଳନ ଜାରି ରଖିଥିଲେ।

ମୃତ୍ୟୁ ପରେ ମାଆ ଝିଅଙ୍କ ଶବକୁ ସତ୍କାର ନକରି ୪ଦିନ ଧରି ଗାଁ ଦାଣ୍ଡରେ ରଖି ଅଭିଯୁକ୍ତକୁ ଗିରଫ ପାଇଁ ଦାବି କରିଥିଲେ। ଘଟଣାକୁ ନେଇ ସବୁମହଲରେ ଉଦ୍‌ବେଗ ପ୍ରକାଶ ପାଇବା ପରେ ଆଜି ରାଜନଗର ଥାନା ଆଇଆଇସି ତପନ କୁମାର ନାୟକ, ତହସିଲଦାର ଭୋଳାନାଥ ସେଠୀ, ବିଡିଓ ମନ୍ଦରଧର ମହାଳିକ ଗାଁରେ ପହଞ୍ଚି ପ୍ରଥମେ ଶବ ସତ୍କାର ପାଇଁ କହିଥିଲେ। ପରେ ସମସ୍ତ ଅଭିଯୋଗ ଶୁଣାଯିବ ବୋଲି ବୁଝାଇଥିଲେ। ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ମାତ୍ର ମହିଳାମାନେ ଓ ଗାଁର ଯୁବକମାନେ ଅଭିଯୁକ୍ତଙ୍କୁ ଗିରଫ କରୁନଥିବା ଦର୍ଶାଇ ୩ ଅଫିସରଙ୍କୁ ଅଟକ ରଖିଥିଲେ। ୩ଜଣ ଅଫିସର ଗୋଟିଏ ଘର ମଧ୍ୟରେ ବସିରହିଥିଲେ। ପ୍ରାୟ ୪ ଘଣ୍ଟା ଧରି ଏହି ଅଫିସରଙ୍କୁ ଉତ୍ତ୍ୟକ୍ତ ଲୋକେ ଅଟକ ରଖିଥିଲେ।

ଅଫିସରଙ୍କ ସହିତ ଗାଁର ମୁରବି ବିଶ୍ୱନାଥ ରାଉତ, ଶିବନାରାୟଣ ରାଉତ, ଅମର କୁମାର ସ୍ୱାଇଁ, ଆଦିକନ୍ଦ ଦାସ, ଶୀତନ କୁମାର ରାଉତ, ଗଙ୍ଗାଧର ଦାସ, ପୀତାମ୍ବର ଦାସ, ଶତ୍ରୁଘ୍ନ ପରିଡ଼ା ପ୍ରମୁଖ ପ୍ରଶାସନିକ ଅଧିକାରୀଙ୍କ ସହିତ ଆଲୋଚନା କରି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇଥିଲେ। ଶେଷରେ ଉତ୍ତ୍ୟକ୍ତ ଲୋକେ ଆନ୍ଦୋଳନରୁ ଓହରି ଗାଁ ଶ୍ମଶାନରେ ମାଆ ଓ ଝିଅ ଶବ ସତ୍କାର କରିଛନ୍ତି। ପ୍ରକାଶ ଥାଉ କି ଏହି ଘଟଣାରେ ପୁଲିସ ସଂଜୟ ବେହେରାଙ୍କୁ ପୁଲିସ ୪ଦିନ ହେଲା ଅଟକ ରଖିଛି।