ମୃତ ପୁଅର ଶବକୁ ୪ ଦିନ ପରେ ମାଟିତଳୁ ବାହାର କଲା ମା’

ଝାରସୁଗୁଡ଼ା: ବିଜ୍ଞାନ ଯୁଗରେ ବି ଲୋକେ ଗୁଣି ଗାରେଡି କୁ ବିଶ୍ୱାସ କରୁଛନ୍ତି । ଏଭଳି ଏକ ଘଟଣା ଆଜି ଝାରସୁଗୁଡା ସହର ସ୍ଥିତ କବ୍ରିସ୍ଥାନ ପଡାରେ ଦେଖିବାକୁ ମିଳିଛି । ଏକ ୪ ମାସ ଶିଶୁର ମୃତ୍ୟୁ ହେବାପରେ ସ୍ୱପ୍ନାଦେଶ ହୋଇଥିବା କହି ଚାରିଦିନ ତଳେ ପୋତାଯାଇଥିବା ଶବକୁ ଆଜି ମାଟି ଖୋଳି ବାହାର କରିଥିଲେ ପରିବାର ଲୋକେ । ମୃତ ଶିଶୁର ସବକୁ ମାଟିତଳୁ ବାହାର କରିଥିବା ଖବର ପାଇ ଝାରସୁଗୁଡା ପୁଲିସ ଘଟଣାସ୍ଥଳକୁ ପହଞ୍ଚି ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ପଠାଇଥିଲା। ସେଠାରେ ପୁଣି ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ।
ଶିଶୁର ମାଙ୍କ କହିବା ଅନୁଯାୟୀ, ଗତକାଲି ରାତିରେ ତାଙ୍କୁ ଏକ ସ୍ୱପ୍ନାଦେଶ ହୋଇଥିଲା । ସେହି ସ୍ୱପ୍ନରେ ଶିଶୁଟି ବଞ୍ଚିଛି ତାକୁ ମାଟି ତଳୁ ବାହାର କରି ଘରକୁ ଆଣନ୍ତୁ ବୋଲି ଗୁଣିଆ କହିଥିଲା। ଏହାପରେ ଆଜି ଭୋରରୁ ଶିଶୁର ପରିବାର ଲୋକେ ମୃତ ଶିଶୁର ଶବକୁ ପୁଣି ଗାତ ଖୋଲି ବାହାର କରିଥିଲେ।
ପ୍ରକାଶ ଯୋଗ୍ୟ ଯେ, ଗତ ୩୦ ତାରିଖ ଝାରସୁଗୁଡା କବ୍ରିସ୍ଥାନ ପଡାରେ ରହୁଥିବା ଶିବରାତ୍ରି ଦେବିଙ୍କ ୪ ମାସ ର ଶିଶୁ ପୁତ୍ରର ଦେହ ଅସୁସ୍ଥ ହେବା ପରେ ରାତି ୨ ଟାରେ ପରିବାର ଲୋକେ ତାକୁ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ୩ଘଣ୍ଟା ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ୧ ତାରିଖ ଦିନ ନିକଟରେ ଥିବା ଏକ ଶ୍ମଶାନରେ ମୃତ ଶିଶୁକୁ ପୋତି ଦିଆଯାଇଥିଲା । ହେଲେ ଆଜି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ପରିବାର ଲୋକେ ପୁଣି ମୃତ ଶିଶୁର ଶବକୁ ମାଟି ତଳୁ ବାହାର କରିଥିଲେ।