ଦେଶରେ ୨୪ ଘଣ୍ଟାରେ ୯ ହଜାର ୩୦୪ ନୂଆ ଆକ୍ରାନ୍ତ ଚିହ୍ନଟ, ୬ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,ଏଜେନ୍ସି: ମହାମାରୀ କରୋନା କବଳିରେ ବର୍ତ୍ତମାନ ସାରା ଦେଶ। ଭାରତରେ ମଧ୍ୟ କାୟା ବିସ୍ତାର କରିଛି କରୋନା। ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟାରେ ପୁଣି ୯ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଥିବା ବେଳେ ମୃତ୍ୟୁ ସଂଖ୍ୟା ୬ ହଜାର ପାର ହୋଇଛି। ସେହିପରି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୨ ଲକ୍ଷ ୧୬ ହଜାର ଟପିଲାଣି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୯ ହଜାର ୩୦୪ ଟି ନୂଆ କରୋନା ଆକ୍ରାନ୍ତଙ୍କ ମାମଲା ସାମନାକୁ ଆସିଛି। ଏହା ପୂର୍ବ ଅପେକ୍ଷା ଅଧିକ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ। ଏହାସହ ୨୬୦ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୨ ଲକ୍ଷ ୧୬ ହଜାର ୯୧୯ ରେ ପହଞ୍ଚିଛି। ଏପର୍ଯ୍ୟନ୍ତ ଭାରତରେ ୬ ହଜାର ୦୭୫ ଜଣଙ୍କ ମୃତ୍ୟୁ ଘଟିଛି।

ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୧ ଲକ୍ଷ ୪ ହଜାର୧୦୭ ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧ ଲକ୍ଷ ୦୬ ହଜାର ୭୦୭ଜଣ ସକ୍ରିୟ ଅଛନ୍ତି।ଏବେ ୧ ଲକ୍ଷ ୦୬ ହଜାର ୭୦୭ଜଣ ଆକ୍ରାନ୍ତ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ବିଶ୍ୱର ଆତଙ୍କ ସୃଷ୍ଟି କରିଥିବା ମହାମାରୀ କରୋନା ୨୧୩ ଦେଶକୁ ବ୍ୟାପି ଭୟଙ୍କର ରୂପ ନେଉଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି।