ଖରସ୍ରୋତା ନଦୀରୁ ବୃଦ୍ଧଙ୍କ ଗଳିତ ମୃତଦେହ ଉଦ୍ଧାର

ଯାଜପୁର, ଏନ୍ଏନ୍ଏସ୍: ଯାଜପୁର ଜିଲ୍ଲା ଯୋକଡିଆ ନିକଟ ଖରସ୍ରୋତା ନଦୀରୁ ଜଣେ ବୃଦ୍ଧବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହଟି ସୁକିନ୍ଦା ଥାନା ବର୍ତଣ୍ଡା ଗ୍ରାମର ନବକିଶୋର ଓଝା(୭୦)ଙ୍କର ବୋଲି ଜଣାପଡିଛି । ସୂଚନା ଅନୁସାରେ, ନବକିଶୋର ଗତ ୮ ତାରିଖ ଦିନ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିବାବେଳେ ନିଖୋଜ ହୋଇଯାଇଥିଲେ । ପରେ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ । ଏନେଇ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ଗୁରୁବାର ଖରସ୍ରୋତା ନଦୀର ଯୋକଡିଆ ନିକଟରେ ଏକ ଶବ ଭାସି ଆସି ଲାଗିଥିଲା । ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ।