ହଜିଯାଇଛି ମାନବିକତା, ରାସ୍ତା କଡ଼ରେ ଫିଙ୍ଗି ଦେଲ ମୃତ ନବଜାତକଙ୍କୁ 

ରାଉରକେଲା,ଏନ୍ଏନ୍ଏସ୍: ଦିନକୁ ଦିନ ଲୋକଙ୍କ ମଧ୍ୟରୁ ହଜି ଯାଉଛି ମାନବିକତା। ଏଭଳି ଏକ ନିର୍ମମ କାଣ୍ଡ ଦେଖିବାକୁ ମିଳିଛି ରାଉରକେଲା ସେକ୍ଟର ୧୯ ଅଞ୍ଚଳରେ। ସୋମବାର ସକାଳେ ଏକ ନବଜାତ ମୃତ ଶିଶୁକୁ କେହି ରାସ୍ତାକଡ଼ରେ ଫିଙ୍ଗି ଚାଲିଯାଇଥିବା ଜଣାଯାଇଛି।

ସୂଚନା ଅନୁସାରେ ସୋମବାର ସକାଳୁ ସେକ୍ଟର ୧୯ ଥାନା ଅନ୍ତର୍ଗତ ଇସ୍ପାତ ଜେନେରାଲ ହସ୍ପିଟାଲ ସମ୍ମୁଖରୁ ଏକ ମୃତ ନବଜାତକ ପଡିଥିବା ଦେଖିବାକୁ ମିଳିଛି। ତାହା ପୁଅ କି କନ୍ୟା ଶିଶୁ ଜଣାପଡିନଥିବା ବେଳେ ଏ ନେଇ ଥାନାକୁ ସୂଚନା ଦିଆଯାଇଛି। ସ୍ଥାନୀୟ ଲୋକଙ୍କ    କହିବା ଅନୁସାରେ ସେମାନେ ଭୋରରେ ଚାଲିବାକୁ ଯାଇଥିବା ବେଳେ ଏଭଳି କିଛି ଦେଖିବାକୁ ପାଇନଥିଲେ। ତେବେ କୁହୁଡ଼ିଆଳରେ କେହି ଏଭଳି କାଣ୍ଡ ଭିଆଇଥିବା କୁହାଯାଉଛି।