ପୁରୁଣାପାଣି ଗ୍ରାମରୁ ଭିକ୍ଷୁକଙ୍କ ମୃତଦେହ ଉଦ୍ଧାର

ଦେବଗଡ଼,ଏନ୍ଏନ୍ଏସ୍: ବାରକୋଟ ବ୍ଲକ ପୁରୁଣାପାଣି ଗ୍ରାମରେ ଜଣେ ଭିକ୍ଷୁକଙ୍କର ଆଜି ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଜଣେ ପରିଚୟହୀନ ବ୍ୟକ୍ତି ଦୀର୍ଘ ୫ବର୍ଷ ହେଲା ପୁରୁଣାପାଣି ଗ୍ରାମରେ ଭିକ୍ଷାବୃତ୍ତି କରିବାସହ ରାତିରେ ଗାଁ ଛକରେ ଆଶ୍ରୟ ନେଉଥିଲେ। ତେବେ ଆଜି ପୂର୍ବାହ୍ନ ୧୧ଟା ସମୟରେ ଉକ୍ତ ଗ୍ରାମ ଛକ ନିକଟରେ ଥିବା ଦାଉଦ ମିଞ୍ଜଙ୍କର ନିର୍ମାଣାଧିନ ଆବାସ ନିକଟରେ ତାଙ୍କର ମୃତଦେହ ପଡିଥିବା ଦେଖି ସାନି ତିର୍କୀ ବାରକୋଟ ଥାନାରେ ଲିଖିତ ସୂଚନା ଦେଇଥିଲେ।

ବାରକୋଟ ପୁଲିସ ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ କରିବାପରେ ଶବାଗାରରେ ରଖିଛି। ଯଦି ଉକ୍ତ ବ୍ୟକ୍ତିଙ୍କର କୌଣସି ଦାବିଦାର ନଆସନ୍ତି ତେବେ ମୃତଦେହକୁ ପୁଲିସ ପକ୍ଷରୁ ସଂସ୍କାର କରାଯିବ ବୋଲି ବାରକୋଟ ଥାନା ପୁଲିସ ପକ୍ଷରୁ ସୂଚନା ମିଳିଛି।