ଦେବଗଡ଼,ଏନ୍ଏନ୍ଏସ୍: ରିଆମାଳ ଥାନା ଅନ୍ତର୍ଗତ ଛତାବର ଗାଁ ନିକଟସ୍ଥ ବଡ଼ଖୋଳ ଜଙ୍ଗଲ ମଧ୍ୟରୁ ଆଜି ସକାଳେ ଜଣେ ଅଚିହ୍ନା ଯୁବକର ଗଳିତ ମୃତଦେହ ରିଆମାଳ ପୁଲିସ ଉଦ୍ଧାର କରିଛି । ଶବଟି ୨୫ରୁ ୩୦ ବର୍ଷୀୟ ଯୁବକର ବୋଲି ଜଣାପଡ଼ିଛି । ମାତ୍ର ଏର୍ପ୍ୟନ୍ତ କୌଣସି ପରିଚୟ ମିଳି ପାରିନାହିଁ । ମୃତଦେହଟି ସପ୍ତାହକ ପୂର୍ବରୁ ଏଠାରେ କେହି ଫିଙ୍ଗି ଚାଲିଯାଇଥିବା ପୁଲିସ ଅନୁମାନ କରୁଛି ।
ମିଳିଥିବା ରିପୋର୍ଟ ମୁତାବକ, କେନ୍ଦୁ ପତ୍ର ତୋଳିବାକୁ ଯାଇଥିବା ଗାଁର କେତେକ ମହିଳା ଜଙ୍ଗଲରୁ ଦୁର୍ଗନ୍ଧ ବାହାରୁଥିବାରୁ ଉକ୍ତ ସ୍ଥାନକୁ ଯିବା ପରେ ସେଠାରେ ମୃତଦେହ ପଡ଼ିଥିବା ଜାଣି ପୁଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ରିଆମାଳ ଥାନା ପୁଲିସ ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି ।