ବିଲରୁ ଯୁବକର ମୃତ ଦେହ ଉଦ୍ଧାର

ବାଲେଶ୍ୱର/ଖଇରା,ଏନ୍ଏନ୍ଏସ୍: ବିଲକୁ ଘାସ କାଟିବାକୁ ଯାଇ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି। ଗଡ଼ପୋଖରୀ ପଞ୍ଚାୟତ ଗୋଆପାଳ ଗ୍ରାମର ସପନା ନାଇକଙ୍କ ୨୦ବର୍ଷର ପୁଅ ଗଣେଶ ନାଇକ ଶୁକ୍ରବାର ଅପରାହ୍ଣରେ ଘାସ କାଟିବାକୁ ବିଲକୁ ଯାଇଥିଲେ। କିନ୍ତୁ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ସମେତ ଗ୍ରାମବାସୀ ଅନେକ ଖୋଜାଖୋଜି କରିଥିଲେ ହେଁ କୌଣସି ସନ୍ଧାନ ପାଇନଥିଲେ। ଆଜି ସକାଳେ ଗ୍ରାମବାସୀମାନେ ଗଣେଶ ବିଲରେ ମୁହଁମାଡି ପଡିଥିବା ଦେଖି ଖଇରା ଥାନାକୁ ଖବର ଦେଇଥିଲେ।

ଖବରପାଇ ଖଇରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି  ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଜାରି ରଖିଛି। ସ୍ଥାନୀୟ ସରପଞ୍ଚ ଗଜେନ୍ଦ୍ର ପରିଡ଼ା ମଧ୍ୟ ସେଠାରେ ପହଞ୍ଚି ପରିବାର ଲୋକଙ୍କୁ ଶବ ବ୍ୟବଚ୍ଛେଦ ଏବଂ ଶୁଦ୍ଧ କ୍ରିୟା ପାଇଁ କିଛି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ ଗତକାଲି ସେ ବିଲକୁ ଯାଇଥିବାବେଳେ ସନ୍ଧ୍ୟାରେ ହୋଇଥିବା ବଜ୍ରପାତରେ ତାଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ ହେଉଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛି।