ବନ୍ଦ ଘରୁ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ

ସମ୍ବଲପୁର,ଏନ୍ଏନ୍ଏସ୍: ସମ୍ବଲପୁର ସହରର ମୁଦିପଡାରେ ତିନି ଦିନ ହେଲା ବନ୍ଦ ପଡିଥିବା ଏକ ଘରୁ ପୁଲିସ ଜଣେ ମହିଳାର ଶବ ଉଦ୍ଧାର କରିଛି। ତେବେ ଏହି ଭଡା ଘରେ ବାହାରପଟୁ ତାଲା ଝୁଲୁଥିବା ଦେଖିବାକୁ ମିଳିଥିଲା । ସୂଚନା ଅନୁସାରେ ଉକ୍ତ ଘରଟି ୩ଦିନ ହେବ ବାହାର ପଟୁ ତାଲା ପଡ଼ିଥିବା ବେଳେ ଘର ଭିତରୁ ଦୁର୍ଘନ୍ଧ ବାହାରୁଥିଲା।

ଏ ନେଇ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହେବାରୁ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ। ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁଲିସ ସେଠାରେ ପହଞ୍ଚି ତାଲା ଭାଙ୍ଗି ଘର ଭିତରକୁ ପଶିଥିଲା। ସେଠରେ ଜଣେ ମହିଳାର ଗଳତ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲା। ପରେ ଗଳିତ ଶବଟିକୁ ସେଠାରୁ ଉଦ୍ଧାର କରାଯାଇଥିଲା।

ଏ ସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ ପଚାରିବାରେ ସେଠାରେ ଏକ ଶ୍ରମିକ ଦମ୍ପତି ଓ ତାଙ୍କର ଏକ ୪ବର୍ଷର ଶିଶୁ ରହୁଥିଲେ। ତେବେ ମଙ୍ଗଳବାର ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ବାପା ୪ ବର୍ଷର ଶିଶୁକୁ ନେଇ କୁଆଡେ ପଳାଇଥିବା ସୂଚନା ମିଳିଛି। ତା’ ପରଠାରୁ ସେହି ଘରେ ବାହାର ପଟୁ ତାଲା ପଡ଼ିଥିବା ପଡ଼ିଶା ସୂଚନା ଦେଇଛନ୍ତି।