ଡଙ୍ଗା ବୁଡି ଘଟଣାରେ ମିଳିଲା ଆଉ ଜଣକର ମୃତଦେହ

କୋରାପୁଟ,ଏନ୍ଏନ୍ଏସ୍: ନନ୍ଦପୁର ବ୍ଲକ୍ ଜଲ୍ଲାପୁଟ ଡ୍ୟାମରେ ଦେଶୀ ଡଙ୍ଗା ବୁଡି ଘଟଣାରେ ବୁଧବାର ଆଉ ଜଣକର ମୃତଦେହ ମିଳିଛି। ମୃତଦେହଟି ନରସିଂହ ଖରାଙ୍କ ପୁଅ ପ୍ରଶାନ୍ତ ଖରାର ବୋଲି ଜଣାପଡିଛି। ବୁଧବାର ସକାଳୁ ଦ୍ୱିତୀୟ ଦିନରେ ଓଡ୍ରାଫ୍ ଟିମ୍ ଜଳ ଭଣ୍ଡାରରେ ପହଞ୍ଚିବା ବେଳକୁ ଏକ ମୃତଦେହ ଭାସୁଥିବା ଦେଖି ତାହା ଉଦ୍ଧାର କରିଥିଲେ। ମଧ୍ୟାହ୍ନ ସୁଦ୍ଧା ନିଖୋଜ ଚିତ୍ତ ଖୀଲର କୌଣସି ଖୋଜ୍ ଖବର ମିଳି ନଥିଲା।

ସୂଚନା ଥାଉକି,ପାଡୁଆ ଗ୍ରାମର ମନୋଜ ହନ୍ତାଳ, ଅଭୟ ହନ୍ତାଳ,ପ୍ରଶାନ୍ତ ଖରା, ମନୋଜ ହନ୍ତାଳ-୨ ଓ ଚିତ୍ତ ଖୀଲ ଏକ ଦେଶୀ ଡଙ୍ଗାରେ ଜଲ୍ଲାପୁଟ ଜଳଭଣ୍ଡାର ଦେଇ ରବିବାର ଦିନ ରାମତା ଗ୍ରାମକୁ ଯାଉଥିଲେ। ଜଳଭଣ୍ଡାର ମଝିରେ ଭାରସାମ୍ୟ ହରାଇ ଡଙ୍ଗା ଓଲଟି ପଡିଥିଲା। ମନୋଜ ହନ୍ତାଳ ଓ ଅଭୟ ହନ୍ତାଳ ପହଁରି ପହଁରି କୂଳକୁ ଫେରିଥିବାବେଳେ ପ୍ରଶାନ୍ତ ଖରା, ଚିତ୍ତ ଖୀଲ ଏବଂ ମନୋଜ ହନ୍ତାଳ-୨ ନିଖୋଜ ଥିଲେ। ନିଖୋଜ ଯୁବକ ମାନଙ୍କ ପରିବାର ଠାରୁ ଅଭିଯୋଗ ପାଇବାପରେ ପାଡୁଆ ପୁଲିସ୍ ଓ ନନ୍ଦପୁର ଓଡ୍ରାଫ୍ ଟିମ୍ ମଙ୍ଗଳବାର ସଂନ୍ଧ୍ୟାରେ ମନୋଜ ହନ୍ତାଳ-୨ଙ୍କ ମୃତଦେହ ଜଳ ଭଣ୍ଡାରରୁ ଉଦ୍ଧାର କରିଥିବାବେଳେ ବୁଧବାର ପ୍ରଶାନ୍ତର ମୃତଦେହ ମିଳିଛି। ଚିତ୍ତ ଖିଲଙ୍କ ମୃତଦେହ ଠାବ କରିବାରେ ଓଡ୍ରାଫ୍ ଟିମ୍ ପୁରା ଦମରେ ଉଦ୍ୟମ ଚଲାଇଥିଲେ ମଧ୍ୟ ସଂନ୍ଧ୍ୟା ସୁଦ୍ଧା କୌଣସି ପତା ମିଳି ନାହିଁ।