ଦେବଗଡ଼,ଏନ୍ଏନ୍ଏସ୍ : ଦେବଗଡ଼ ଜିଲ୍ଲା କୁଂଢ଼େଇଗୋଳା ଥାନା ଅନ୍ତର୍ଗତ ଧିରମୁଣ୍ଡା ଗ୍ରାମରୁ ଗତ ୮ ତାରିଖରୁ ନିଖୋଜ ଯୁବତୀଙ୍କ ମୃତ ଦେହ ଆଜି ଏକ ବନ୍ଦ ପଥର କ୍ଵାରିର ପାଣି ମଧ୍ୟରୁ ଉଦ୍ଧାର କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଧିରମୁଣ୍ଡା ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ଧୀରଙ୍କ କନ୍ୟା ରିଙ୍କି ଧୀର ଗତ ୮ ତାରିଖ ଦିନ ଗାଁ ଯାତ୍ରା ଦେଖିବାକୁ ଯାଇ ନିଖୋଜ ହୋଇ ଯାଇଥିଲେ । ବହୁ ଖୋଜା ଖୋଜି ପରେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳି ପାରି ନଥିଲା। ହେଲେ ଆଜି ଗାଁର ଏକ ପରିତ୍ୟକ୍ତ ପଥର କ୍ଵାରିର ପାଣିରେ ରିଂକିଙ୍କ ମୃତ ଦେହ ଭାସୁଥିବା ଦେଖିବାକୁ ପାଇଥିଲେ ଗ୍ରାମବାସୀ ।
ଏନେଇ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ପରିବାର ଲୋକ ପହଂଚି ପୁଲିସକୁ ଖବର ଦେଇଥିଲେ। ଖଇରପାଲି ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଂଚି ମୃତ ଦେହ ଉଦ୍ଧାର କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତ ଦେହ ବ୍ୟବଛେଦ ପାଇଁ ପଠାଇଥିବା ଜଣା ପଡିଛି ।