ଏଏନଏମଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର,ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ

ବାରିପଦା,ଏନ୍ଏନ୍ଏସ୍: ବାରିପଦା ପୌରପରିଷଦର ୱାର୍ଡ ନମ୍ବର ୧୯ ବାଘଡ଼ାରୋଡ଼ ଅଞ୍ଚଳରେ  ଏଏନଏମ ସ୍ୱାସ୍ଥ୍ୟକର୍ମୀଙ୍କ ଝୁଲନ୍ତା ମୃତଦେହ ପୁଲିସ ଉଦ୍ଧାର କରିଛି। ମୃତଦେହ ପଙ୍ଖାରେ ଝୁଲୁଥିବା ଦେଖି ଶାଶୂଘର ଲୋକେ ବାରିପଦା ଟାଉନ ଥାନାକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ  ପାଇଁ ପଠାଇଛି। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ଶଶୁର ଘର ଲୋକେ ଏହାକୁ ଆତ୍ମହତ୍ୟା ବୋଲି କହୁଥିବା ବେଳେ ବାପଘର ଲୋକେ ଏହା ଏକ ପ୍ରିପ୍ଲାନ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ, ବିଷ୍ଣୁପଦ ଘୋଷଙ୍କ ପୁଅ ବିମଳ ଚନ୍ଦ୍ର ଘୋଷ ୨୦୧୭ ଜୁଲାଇ ୩ରେ ମୋରଡ଼ା ଥାନା ଖୁରୁଣ୍ଟିଆ ଅଞ୍ଚଳର ସଦାନନ୍ଦ ଗିରିଙ୍କ ଝିଅ ମୋନାଲିସା ଗିରିଙ୍କୁ ପ୍ରେମ ବିବାହ କରିଥିଲେ। ତାଙ୍କର ୧୦ ମାସର କନ୍ୟା ସନ୍ତାନ ଅଛି। ମୋନାଲିସା ବାରମାଇଲସ୍ଥିତ କିଷାନତାଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଏନଏମ ଭାବେ କାର୍ଯ୍ୟ କରୁଥିଲେ। ଆଜି ସକାଳ ୧୦ ଟାରେ ସେ ତାଙ୍କ ମା’ଙ୍କ ସହ କଥା ହୋଇଥିବାବେଳେ ଦିନ ୧୨ ଟାରେ ମୃତ୍ୟୁ ଖବର ଶୁଣି ବାପଘରଲୋକେ ଆତ୍ମହତ୍ୟା କଥାକୁ ବିଶ୍ୱାସ କରିପାରୁନାହାଁନ୍ତି।