କାଳୀ ନାନୀ ଆଉ ନାହାନ୍ତି

କେନ୍ଦୁଝରଗଡ,ଏନ୍ଏନ୍ଏସ୍ : କେନ୍ଦୁଝର ପୁରୁଣା ସହରର ଜଣାଶୁଣା ତଥା ସ୍ନେହୀ ଓ ପରୋପକାରୀ ମହିଳା ଭାବରେ ପରିଚିତ କାଳୀ ନାନୀ ଓରଫ୍ ସୁକାନ୍ତି ବାରିକଙ୍କର ଶନିବାର ସକାଳୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ପରଲୋକ ହୋଇଯାଇଛି। ଛୋଟ ପିଲାଙ୍କଠାରୁ ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଆଦରର କାଳୀ ନାନୀ ଦୀର୍ଘ ୩୦ବର୍ଷ ହେବ ପୁରୁଣା ସହରର ବଡଦାଣ୍ଡଠାରେ ପ୍ରତିଷ୍ଠିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡିଆଇଇଟି) ରେ ରୋଷେୟା ଭାବରେ କାମ କରୁଥିଲେ। ବିଶେଶ୍ୱରପୁର ଶାସନର ଅଧିବାସୀ କାଳୀ ନାନୀ ସ୍ଥାନୀୟ ଅଂଚଳର ଜଣେ ଧର୍ମପ୍ରାଣା ଓ ସ୍ନେହୀ ମହିଳା ଭାବରେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ। ଶନିବାର ସକାଳୁ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା।

ଅଳ୍ପ କିଛି ସମୟ ଚିକିତ୍ସା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା କଥା ଜଣାପଡିଛି। ଶନିବାର ସକାଳ ପର୍ଯ୍ୟନ୍ତ ଚଳଚଂଚଳ ଥିବା କାଳୀ ନାନୀଙ୍କ ମୃତ୍ୟୁ ଖବର ଶୁଣି ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ପହଂଚିବା ସହ ବିଶେଶ୍ୱରପୁର ସ୍ଥିତ ତାଙ୍କ ବାସଭବନରେ ପହଂଚି ଥିଲେ। ଏହାପରେ ତାଙ୍କୁ ହୁଡକୋ ନିକଟସ୍ଥ ଶ୍ମଶାନକୁ ନିଆଯାଇ ଶବ ସତ୍କାର କରାଯାଇଥିଲା। ମୃତ୍ୟୁ ସମୟରେ ତାଙ୍କର ଦୁଇ ଝିଅ ଝୁନୁ ଓ ରୁନୁ, ପୁତୁରା ସୁଦର୍ଶନ, ଦେବ, ଝିଆରୀ ଓ ଆତ୍ମୀୟ ସ୍ୱଜନମାନେ ଉପସ୍ଥିତ ଥିଲେ। ଡିଆଇଇଟିର ଶିକ୍ଷାନବିସ ଗୁରୁଜୀ,ଗୁରୁମା,ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀମାନେ ତାଙ୍କର ଶେଷଦର୍ଶନ କରିଥିଲେ। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି।