ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଦୁଇ ଜଣ ଅନାଥ ଭାଇଭଉଣୀଙ୍କୁ ଉଦ୍ଧାର କରିଛି। ବେଲପଡ଼ା ବ୍ଲକର ଖଲିପଥର ଗ୍ରାମର ଯତୀନ ସାହାଣି (୧୪)ଙ୍କୁ ତାଙ୍କ ପୈତୃକ ଘରୁ ଉଦ୍ଧାର କରାଯାଇଥିବାବେଳେ ତାଙ୍କ ଭଉଣୀ ଇନ୍ଦୁମତି ସାହାଣି (୯)ଙ୍କୁ ଲୋଇସିଂହା ବ୍ଲକର ଉପରଉଡ଼ାର ଗ୍ରାମର ମାମୁଘରୁ ଉଦ୍ଧାର କରାଯାଇଛି। ଏବେ ଉଭୟଙ୍କୁ ପଥରଚେପାଠାରେ ଥିବା ପାର୍ବତୀଗିରି ବାଳ ନିକେତନସ୍ଥିତ ଶିଶୁ ଗୃହରେ ଯତ୍ନ, ସୁରକ୍ଷା ଓ ଥଇଥାନ ପାଇଁ ଅବସ୍ଥାପିତ କରାଯାଇଛି। ଏହି ଉଦ୍ଧାର କାର୍ଯ୍ୟ ପାଇଁ ଡିସିପିଓ ଲକ୍ଷ୍ମୀ ସିଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସାମାଜିକ କର୍ମୀ ଅରୁଣ ଖୁଆସଙ୍କୁ ବେଲପଡ଼ା ବ୍ଲକକୁ ପଠାଇଥିଲେ। ଶ୍ରୀ ଖୁଆସ ବେଲପଡ଼ା ଯାଇ ବିଡିଓ ଭିକ୍ଟର ବିଲୁଙ୍ଗଙ୍କୁ ସାକ୍ଷାତ କରିବା ପରେ ସେ ତାଙ୍କୁ ଆଇସିଡିଏସ୍ ସୁପରଭାଇଜର ମେନକା କୁମୁରା, ପ୍ରଗତି ସହାୟକ ରୁକ୍ମଣ ନାଗଙ୍କୁ ଖଲିପଥର ଗ୍ରାମର ଅନାଥ ଶିଶୁଙ୍କ ପାଖକୁ ପଠାଇଥିଲେ। ଖଲିପଥର ଗ୍ରାମରେ ପୂର୍ବରୁ ଅପେକ୍ଷା କରିଥିବା ସରପଞ୍ଚ କବିତା ଭୁଏ, ପିଇଓ ଦେବେନ୍ଦ୍ର ସାହୁ, ଅଙ୍ଗନବାଡ଼ିି କର୍ମୀ ହେମନ୍ତ ବଗର୍ତ୍ତୀ ଓ ଅନାଥ ଶିଶୁଙ୍କ ସମ୍ପର୍କୀୟ ତଥା ଗ୍ରାମବାସୀଙ୍କୁ ନେଇ ଏହି ଶିଶୁମାନଙ୍କର ଥଇଥାନ ପାଇଁ ଏକ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଅନାଥ ଯୁବକ ଦେବରାଜ (୨୧) ଓ ଯୁବତୀ ଗୀତାଞ୍ଜଳି (୧୯) ସମନ୍ୱିତ ଶିଶୁ ସୁରକ୍ଷା ଯୋଜନାରେ ଆସୁନଥିବା ଯୋଗୁ ନାବାଳକ ଜତିନ ଓ ଇନ୍ଦୁମତିଙ୍କୁ ସରକାରଙ୍କ ଦ୍ୱାରା ପରିଚାଳିତ ଶିଶୁ ଗୃହରେ ଯତ୍ନ ସୁରକ୍ଷା ପାଇଁ ଅବସ୍ଥାପିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।