ରାସ୍ତାରେ ବୁଲି ଟ୍ରାଫିକ୍ ପରିଚାଳନା କଲେ ଡିସିପି ସାଗରିକା

ଟ୍ରାଫିକ୍ ଡିସିପି ଭାବେ ସାଗରିକା ନାଥ ଦାୟିତ୍ୱ ଗ୍ରହଣ କରିବାର ଗୋଟିଏ ଦିନ ପରେ ରାଜଧାନୀ ଟ୍ରାଫିକ ବ୍ୟବସ୍ଥା ସତେ ଯେମିତି ଆକ୍ଟିଭ ହୋଇଯାଇଛି । ସୋମବାର ପୂର୍ବାହ୍ଣରେ ଡିସିପି ସାଗରିକା ହଠାତ ସହରର ବିଭିନ୍ନ ଛକରେ ପହଞ୍ଚି ଟ୍ରାଫିକ ପରିଚାଳନାର ଅନୁଧ୍ୟାନ କରିଥିଲେ । ପରେ ନିଜସ୍ୱ ଶୈଳୀରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଡିସିପିଙ୍କ ନିର୍ଦ୍ଦେଶକ୍ରମେ ପ୍ରଥମେ ରବୀନ୍ଦ୍ରମଣ୍ଡପରୁ ଏୟାରପୋର୍ଟ ରାସ୍ତାକୁ ‘ନୋ ଓଭରଟେକିଂ ଜୋନ’ ଭାବେ ଘୋଷଣା କରିବା ସହ କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ରାସ୍ତାରେ ଗାଡ଼ିମୋଟର ଯାଞ୍ଚକୁ ଜୋରଦାର କରାଯିବା ସହ ଲୋକଙ୍କୁ ଓଭରଟେକ ନକରିବାକୁ ବାରଣ କରିଥିଲେ । ପରେ ରସୁଲଗଡ଼, ଖଣ୍ଡଗିରୀ, ଜୟଦେବ ବିହାର ପ୍ରଭୃତ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଗାଡ଼ିମୋଟର ଯାଞ୍ଚକୁ କଡ଼ାକଡ଼ି କରାଯାଇଥିଲା । ଡିସିପି ସାଗରିକା ନିଜେ ସହରର ବିଭିନ୍ନ ଛକରେ ବୁଲି ଯାଞ୍ଚ ଓ ଟ୍ରାଫିକ ପରିଚାଳନ ଅନୁଧ୍ୟାନ କରିବା ସହ ଲୋକଙ୍କୁ ସଚେତନ କରିଥିଲେ । ଡିସିପି ନିଜେ ରାସ୍ତାରେ ବୁଲିବା ଯୋଗୁଁ ହଠାତ୍ ସୋମବାର ଭୁବନେଶ୍ୱରରେ ଟ୍ରାଫିକ ବ୍ୟବସ୍ଥା ଆକ୍ଟିଭ ହେବା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା ।