ରାଜ୍ୟରେ ଲାଗୁ ହେବ ଦିବା କର୍ଫ୍ୟୁ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଗକୁ ରାଜ୍ୟରେ ଦିନବେଳା କର୍ଫ୍ୟୁ ଲାଗୁ ହୋଇପାରେ। ଏ ସମ୍ପର୍କରେ ସରକାର ଚିନ୍ତା କରୁଛନ୍ତି ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ରାଜ୍ୟରେ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଗତ କିଛି ଦିନ ହେଲା ପ୍ରତ୍ୟେକ ଦିନ ଚିହ୍ନଟ ହେଉଛନ୍ତି ୪ ଶହରୁ ଅଧିକ ଆକ୍ରାନ୍ତ।

କରୋନା ସଂକ୍ରମଣ ନିୟନ୍ତ୍ରଣ ଲାଗି ଆକ୍ସନ ମୋଡ଼ରେ ସରକାର। ରାଜ୍ୟର ୧୦ ଟି ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ ସରକାର ଜାରି କରିଛନ୍ତି। ତେବେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବା ଲକ୍ଷ୍ୟ କରି ବିକଳ୍ପ ବ୍ୟବସ୍ଥା ହାତକୁ ନେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଦିନବେଳା କର୍ଫ୍ୟୁ ଲାଗୁ କରିବା ପାଇଁ ସରକାର ଚିନ୍ତା କରୁଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ମୁଖ୍ୟମନ୍ତ୍ରୀ ରାଜ୍ୟର କରୋନା ସ୍ଥିତି ଉପରେ ନଜର ରଖିଛନ୍ତି।

ମୁଖ୍ୟ ଶାସନ ସଚିବ ପ୍ରତ୍ୟେକ ଦିନ ସ୍ଥିତିର ସମୀକ୍ଷା କରିଛନ୍ତି। ଦିନବେଳା କର୍ଫ୍ୟୁ ଲାଗୁ କରିବା ପାଇଁ ସରକାର ଖୁବଶୀଘ୍ର ନିଷ୍ପତ୍ତି ନେଇପାରନ୍ତି ବୋଲି କହିଛନ୍ତି ବାଚସ୍ପତି। କରୋନାର ଦ୍ୱିତୀୟ ଲହର ଜାରି ରହିଛି। ତେଣୁ ରାଜ୍ୟ ବାହାରୁ ଆସିଥିବାରୁ ସମସ୍ତେ ସଚେତନ ହେବା ସହ କୋଭିଡ ନିୟମ ମାନିବା ଦରକାର ବୋଲି ବାଚସ୍ପତି ପରାମର୍ଶ ଦେଇଛନ୍ତି।