ଦାରିଙ୍ଗବାଡି,ଏନ୍ଏନ୍ଏସ୍ : ଦାରିଙ୍ଗବାଡି ବ୍ଲକକୁ ପର୍ଯ୍ୟାୟ କ୍ରମେ ଫେରିବାରେ ଲାଗିଛନ୍ତି ରାଜ୍ୟ ବାହାରେ ଥିବା ପ୍ରବାସୀ ଓଡ଼ିଆ। ସେମାନଙ୍କ ପାଇଁ ଦାରିଙ୍ଗବାଡି ବ୍ଲକରେ ୪୪ଟି ସଂଗରୋଧ କେନ୍ଦ୍ର ଓ ଅସ୍ଥାୟୀ କୋଭିଡ ହସ୍ପିଟାଲ ପ୍ରସ୍ତୁତ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଦାରିଙ୍ଗବାଡିକୁ ଫେରିଥିବା ୯୬ଜଣଙ୍କୁ ଦାରିଙ୍ଗବାଡିର ଡବେରୀ ସେବାଶ୍ରମ ସ୍ଥିତ ସଂଗରୋଧ କେନ୍ଦ୍ରରେ ,ଆମ୍ବେଦକର କଲେଜ ଠାରେ ଅସ୍ଥାୟୀ ହସ୍ପିଟାଲ ଓ କନ୍ୟାଶ୍ରମ ସ୍ଥିତ ସଂଗରୋଧ କେନ୍ଦ୍ରରେ ରଖାଯାଇଛି । ତେବେ ବର୍ତ୍ତମାନ ପ୍ରବାସୀ ଓଡ଼ିଆମାନେ ଅଧିକା ସଂଖ୍ୟାରେ ଆସୁଥିବାରୁ ବ୍ଲକରେ ପ୍ରସ୍ତୁତ ହୋଇଥିବା
ସମସ୍ତ ସଂଗରୋଧ କେନ୍ଦ୍ର ଗୁଡିକୁ ଦାରିଙ୍ଗବାଡି ବିଡିଓ ଡ. ଜଗଦୀଶ ଷଡଙ୍ଗୀ ଗସ୍ତ କରି ସେଠାରେ ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା କିପରି ହୋଇପାରିଛି ସେଠାକୁ ପ୍ରବାସୀମାନେ ଆସିବା ପରେ ଯେପରି କୌଣସି ପ୍ରକାରର ଅସୁବିଧା ନ ହୁଏ ସେ ନେଇ ଅନୁଧ୍ୟାନ କରିଛନ୍ତି । ଆଜି ପୂର୍ବାହ୍ନ ୧୧ଟା ସମୟରେ ବିଡିଓ ସିମନବାଡ଼ି ସରକାରୀ ହାଇସ୍କୁଲରେ ହୋଇଥିବା ସଂଗରୋଧ କେନ୍ଦ୍ରରେ ପହଂଚି ଖାଦ୍ୟପେୟ ସହିତ ପିଇବା ପାଣି, ବିଜୁଳି ଓ ସୁରକ୍ଷା ବ୍ୟବସ୍ଥା ଆଦି ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ସିମନବାଡ଼ି ପଞ୍ଚାୟତ ଦାୟିତ୍ୱରେ ଥିବା ନୋଡାଲ ଅଫିସର ଦିଲୀପ କୁମାର ସାହୁଙ୍କ ସମେତ ସିମନବାଡ଼ି ସରପଞ୍ଚ ପ୍ରତିନିଧି ପରମେ ପ୍ରଧାନଙ୍କ ସହିତ ବିଡିଓ ସମସ୍ତ ବିଷୟରେ ଆଲୋଚନା କରିଥିଲେ । ବିଡିଓଙ୍କ ସହିତ ବ୍ଲକ ଆକାଉଣ୍ଟସ ଅଫିସର କ୍ଷେତ୍ରୀବର ଜାନୀ ଉପସ୍ଥିତ ରହିଥିଲେ ।