ବଜାରରେ ଚାହିଦା ବଢୁଛି ଡଙ୍ଗରିଆଙ୍କ ହାତ ତିଆରି ପ୍ରସ୍ତୁତ ମାସ୍କ ଜିଲ୍ଲାରାଜ୍ୟ By Nitidin On May 26, 2020 Share ରାୟଗଡ଼ା,ଏନ୍ଏନ୍ଏସ୍ : କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ମାସ୍କ ନିତ୍ୟାନ୍ତ ଆବଶ୍ୟକ । ସରକାର ମାସ୍କ ପିନ୍ଧିବା ଉପରେ ମଧ୍ୟ କଟକଣା ଜାରି କରିଛନ୍ତି। ବଜାରରେ ଧୀରେ ଧୀରେ ଏହାର ଚାହିଦା ବଢ଼ିବାରେ ଲାଗିଛି। କିନ୍ତୁ ବଜାରରେ ମିଳୁଥିବା ମାସ୍କ ଠାରୁ ନିୟମଗିରି ଆଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କ ହାତବୁଣା ମାସ୍କ ଭିନ୍ନ। ଡଙ୍ଗରିଆ ଶାଲ କାପଡ଼ାଗୁନ୍ଦା ପରେ ଏବେ ହାତବୁଣା ମାସ୍କ ଲୋକଙ୍କର ପ୍ରିୟ ହୋଇପାରିଛି। ଆଦିବାସୀ ଉନ୍ନୟନ ବିଭାଗ ଦ୍ୱାରା ପ୍ରସ୍ତୁତି ଓ କିଣାବିକା ପାଇଁ ଆରମ୍ଭ ହୋଇଛି ଏହି ପ୍ରୟାସ। ଏହି ମାସ୍କ ବିକ୍ରୀ କରି ଡଙ୍ଗରିଆଙ୍କ ଉତ୍ପାଦିତ ପଦାର୍ଥର ପ୍ରଚାର ପ୍ରସାର କରିବା ସହ ସେମାନଙ୍କ ଆର୍ଥିକ ସ୍ଥିତିକୁ ସଶକ୍ତିକରଣ କରିବା ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଇଛି । ଜାତିୟ ତଥା ଆର୍ନ୍ତଜାତିକ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ରାୟଗଡା ଜିଲ୍ଲା ନିୟମଗିରି ଅଂଚଳର ଡଙ୍ଗରିଆ ଆଦିବାସୀଙ୍କ ହାତବୁଣା ଶାଲ (କାପାଡ଼ାଗୁନ୍ଦା) ପରେ ଏବେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ବାନ୍ଧକଳାର ମାସ୍କ। କରୋନା ପରେ ଲକଡାଉନ ବେଳେ ଡଙ୍ଗରିଆ ଆଦିବାସୀଙ୍କୁ କାମଧନ୍ଦା ଯୋଗାଇବା ସହ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ହାତତିଆରି ଏମ୍ବ୍ରୋଡିଂ ମାସ୍କକୁ ବଜାରି କରଣ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି ଅନୁସୂଚିତ ଜାତି ଉନ୍ନୟନ ବିଭାଗ। ଆଦିବାସୀ ଉନ୍ନୟନ ବିଭାଗ ପକ୍ଷରୁ ଟିଡିସିସି ଦ୍ୱାରା ଡଙ୍ଗରିଆଙ୍କ ଦ୍ୱାରା ପ୍ରସ୍ତୁତ ମାସ୍କ କିଣିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଛି। ଡଙ୍ଗରିଆଙ୍କୁ ମାସ୍କ ତିଆରି କପଡା ସାଙ୍ଗକୁ ସୂତା, ଛୁଂଚି ସହ ଅନ୍ୟାନ୍ୟ ଆନୁସଙ୍ଗିକ ସାମଗ୍ରୀ ଯୋଗାଇ ଦେଇ ସେମାନଙ୍କୁ ତାଲିମ ଦେବା ସହ ମାସ୍କ ତିଆରି ପାଇଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି। ବିଷମକଟକ ବ୍ଲକ କୁର୍ଲୀ ପଂଚାୟତର ଖମ୍ବେସୀ, ହୁଣ୍ଡିଝାଲି, ଖଜୁରୀ ପ୍ରଭୃତି ଗ୍ରାମର ୨୦୦ ପରିବାର ମାସ୍କ ବୁଣାରେ ଲାଗି ପଡିଛନ୍ତି। ପ୍ରତ୍ୟେକ ମାସ୍କ ପିଛା ୫୦ ଟଙ୍କା ଲେଖାଏଁ ପାରିଶ୍ରମିକ ପାଉଛନ୍ତି। ତେବେ ଲକଡାଉନ ବେଳେ ହାତରେ କାମଧନ୍ଦା ନଥିବା ବେଳେ ସରକାରଙ୍କ ମାସ୍କ ତିଆରି ଭଳି ପ୍ରୟାସ ସେମାନଙ୍କୁ ରୋଜଗାର ଯୋଗାଉଥିବା କହିଛନ୍ତି ଖମ୍ବେଶୁ ଗାଁ’ର ହିତାଧିକାରୀ ରମ୍ଭା ୱାଡାକା , ମନୀଷା ୱାଡାକା ଏବଂ ରିଲାଇ ୱାଡାକା । ବର୍ତମାନ ରାୟଗଡା ଜିଲ୍ଲାର ଏହି ଡଙ୍ଗରିଆ ଗାଁ’ ଗୁଡିକରେ ମାସ୍କ ତିଆରି କାମ ଜୋରସୋରରେ ଲାଗିଛି। ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ପକ୍ଷରୁ ମାସ୍କ ତିଆରି ସାମଗ୍ରୀ ଯୋଗାଇ ଦିଆ ଯାଉଥିବା ବେଳେ କତୃପକ୍ଷ ପ୍ରତ୍ୟକ୍ଷ ତତ୍ୱାବଧାରେ ବୁଣାବୁଣି କାମ ଚାଲିଛି। ଡଙ୍ଗରିଆ ମାସ୍କର ବୁଣା କୌଶଳ ସାଙ୍ଗକୁ ସୁନ୍ଦର କାରୁକାର୍ଯ୍ୟ ଯୋଗୁଁ ଏହାର ଚାହିଦା ବଢିବାରେ ଲାଗିଛି। ଅପରେ ପକ୍ଷେ ଲକଡାଉନ ବେଳେ ଏହି ବିରଳ ଜନଜାତି ଡଙ୍ଗରିଆଙ୍କ ଜିବନ ଜିବିକା ରକ୍ଷା କରିବା ସହ ସେମାନଙ୍କ ସାମଗ୍ରୀର ବଜାରିକରଣ କରିବା ଲକ୍ଷ୍ୟରେ ଆଦିବାସୀ ଉନ୍ନୟନ ବିଭାଗ ପକ୍ଷରୁ ଏଭଳି ପ୍ରୟାସ ଜାରି ରହିଥିବା କହିଛନ୍ତି , ଡିକେଡିଏର ସ୍ୱତନ୍ତ୍ର ଅଧିକାରୀ ସୁରେଶ ଚନ୍ଦ୍ର ଦିକ୍ଷିତ । Share