ପଦ୍ମ ଛାଡ଼ିଲେ ଦାମୋଦର ରାଉତ

ପାରାଦ୍ୱୀପ,ଏନ୍ଏନ୍ଏସ୍: ପ୍ରଥମେ ବିଜେଡ଼ି ଓ ପରେ ବିଜେପିରୁ ଇସ୍ତଫା ଦେଲେ ବରିଷ୍ଠ ବିଜେପି ନେତା ଦାମୋଦର ରାଉତ। ଏନେଇ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି । ତେବେ ସେ ଇସ୍ତଫା ପତ୍ରରେ ସେ କ୍ଷୋଭ ପ୍ରକାଶ କରିଛନ୍ତି ଯେ ତାଙ୍କୁ ଗତ ସାଧାରଣ ନିର୍ବାଚନ ପରେ ଦଳୀୟ କାର୍ୟ୍ୟକ୍ରମ କିମ୍ବା କୌଣସି ବୈଠକକୁ ତାଙ୍କୁ ଡକାଯାଉନଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଫଳରେ ତାଙ୍କର ବିଜେପିରେ କୌଣସି ଆବଶ୍ୟକତା ନଥିବା କହି ସେ ଦଳରୁ ଇସ୍ତଫା ଦେଇଛନ୍ତି।

ଏଥିସହ ମୁଁ ନିଜକୁ ରାଜନୀତିରେ ସଂଶ୍ଳିଷ୍ଟ ନକରି ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ଜଣେ ଉତ୍ସର୍ଗୀକୃତ ଅନୁଗତ ଭାବେ ରାଜ୍ୟବାସୀଙ୍କ ସେବାରେ ଜୀବନ ବିତାଇବି ବୋଲି କହିଛନ୍ତି। ସେହିପରି ଆଉ ଦଳ କିମ୍ବା ନେତୃତ୍ୱ ବିରୋଧରେ ମୋର କୌଣସି ଅଭିଯୋଗ ନଥିବା ଇସ୍ତଫା ପତ୍ରରେ ସ୍ପଷ୍ଟ କରିଛନ୍ତି ।

ସୂଚନା ଅନୁସାରେ ସେ ଗତ ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ମାର୍ଚ୍ଚ ୧୪ରେ ବିଜେପିରେ ଯୋଗ ଦେଇଥିଲେ। ଆଉ ଏହାକୁ ନେଇ ବିଜେପି କ୍ୟାମ୍ପ ମଧ୍ୟ ବେଶ୍ ଖୁସିଥିବା ଦେଖିବାକୁ ମିଳିଥିଲା । ନିର୍ବାଚନରେ ଦାମୋଦର ରାଉତ ପରାଜତି ହେବା ପରେ ପରେ ଦଳର ବିଭିନ୍ନ କାର୍ୟ୍ୟକ୍ରମରେ ତାଙ୍କର ଅନୁପସ୍ଥିତି ନେଇ ବିଭିନ୍ନ ଚର୍ଚ୍ଚା ହେଉଥିଲା। ଏପରିକି ନିକଟରେ ବିଜେପି ବିରୋଧରେ ବିଷୋଦଗାର କରିଥିଲେ।

ଅନ୍ୟପଟେ କିଛିଦିନ ତଳେ ବିଜେପୁର ଉପ-ନିର୍ବାଚନ ପାଇଁ ବିଜେପି ଘୋଷଣା କରିଥିବା ୪୦ ଜଣିଆ ପ୍ରଚାର ତାଲିକାରେ ଦାମଙ୍କ ନାଁ ନଥିବା ଦେଖିବାକୁ ମିଳିଥିଲା । ଏହାପରେ ଦାମ ରାଉତ ଅସନ୍ତୋଷ ଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଆଉ ପ୍ରଥମେ କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇ, ନିର୍ବାଚନ ରାଜନୀତିରୁ ସେ ସନ୍ନ୍ୟାସ ନେଇଥିବା ମଧ୍ୟ ଘୋଷଣା କରିଥିଲେ । ଆଉ ଯାହା ପରେ ବିଭିନ୍ନ ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିଲା, ଦାମ ଖୁବ୍ ଶୀଘ୍ର ପଦ୍ମକୁ ପର କରିବାକୁ ଯାଉଛନ୍ତି । ଶେଷରେ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇ ଦାମ ବିଜେପିକୁ ବାଏ ବାଏ କହିଛନ୍ତି । ତେବେ ବିଜେପୁର ଉପ-ନିର୍ବାଚନର ଠିକ୍ ୪ ଦିନ ପୂର୍ବରୁ ଆଉ ଏକ ଝଟକା ବିଜେପିକୁ ଲାଗିଛି । କାରଣ ଗତ ୧୨ ତାରିଖରେ ଅଶୋକ ବିଜେପିକୁ ‘ଶୋକ’ ଦେଇଥିବାବେଳେ ଏବେ ଦାମ ରାଉତଙ୍କ ଇସ୍ତଫା ଦଳକୁ ସମସ୍ୟାରେ ପକାଇପାରେ ବୋଲି ଚର୍ଚ୍ଚା ହେଉଛି ।