ଦେବଗଡ,ଏନ୍ଏନ୍ଏସ୍: ଗୋଟିଏ ପଟେ ପ୍ରେମୀଯୁଗଳ ଭାଲେଣ୍ଟାଇନ ସପ୍ତାହରେ ମସଗୁଲ ଥିବାବେଳେ ଅନ୍ୟପଟେ ଟଙ୍କା ପାଇଁ ପ୍ରେମିକାକୁ ବିକ୍ରି କରିଛି ପ୍ରେମିକ। ଜଣେ ଯୁବତୀର ନିରୀହତାର ସୁଯୋଗ ନେଇ ଜଣେ ପେଶାଦାର ଦଲାଲ ଯୁବତୀଙ୍କୁ ପ୍ରେମଜାଲରେ ଫସାଇ ବିବାହ ଆଳରେ ଅନ୍ୟ ରାଜ୍ୟରେ ବିକ୍ରି କରିଦେବା ଭଳି ଘଟଣା ଘଟିଛି। ଦେବଗଡ ଥାନା ଅନ୍ତର୍ଗତ ଛେପିଲିପାଲି ଗ୍ରାମରେ ତେବେ ପ୍ରାୟ ଦେଢ ମାସ ପରେ ଯୁବତୀ ଜଣକ କୌଶଳକ୍ରମେ ଫୋନ ଯୋଗେ ନିଜ ପରିବାର ଲୋକଙ୍କୁ ତାଙ୍କ ଉପସ୍ଥିତି ସମ୍ପର୍କରେ ଜଣାଇବା ପରେ ପରିବାର ଲୋକେ ଦେବଗଡ ଥାନା ପୁଲିସ ସହାୟତାରେ ସଂପୃକ୍ତ ଯୁବତୀଙ୍କୁ ସୂଦୁର ସୁଲତାନଗଞ୍ଜ ଠାରୁ ଉଦ୍ଧାର କରି ଆଜି ଦେବଗଡ ପହଞ୍ଚିଥିବା ଜଣାପଡିଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦେବଗଡ ଥାନା ଅନ୍ତର୍ଗତ ଛେପିଲିପାଲି ଗ୍ରାମର ଜଣେ ୩୦ ବର୍ଷିୟା ଯୁବତୀଙ୍କୁ ରିଆମାଳ ଥାନା ଅନ୍ତର୍ଗତ ରଙ୍ଗମାଟିଆ ଗ୍ରାମର ଭଞ୍ଜକିଶୋର ନାଏକ ପ୍ରଥମେ ପ୍ରେମଜାଲରେ ଫସାଇଥିଲା। ତେବେ ଗତ ଡିସେମ୍ବର ମାସ ୨୦ ତାରିଖ ଦିନ ଭଞ୍ଜକିଶୋର ଉକ୍ତ ଯୁବତୀଙ୍କୁ ପ୍ରଲୋଭିତ କରି ଯୁବତୀଙ୍କୁ ଛେପିଲିପାଲି ଗ୍ରାମସ୍ଥିତ ତାଙ୍କ ଘର ନିକଟରୁ ବାଇକ ଯୋଗେ ନେଇ ଝାରସୁଗୁଡା ଚାଲିଯାଇଥିଲେ।
ସେଠାରୁ ଏକ ଟ୍ରେନ ଯୋଗେ ପ୍ରଥମେ ମଧ୍ୟପ୍ରଦେଶର ସାଗର ଏବଂ ସେଠାରୁ ଅନ୍ୟ ଏକ ଗାଡିରେ ସୁଲତାନଗଞ୍ଜ କୁ ନେଇଯାଇଥିଲେ।ସେଠାରେ ଯୋଜନା ମୁତାବକ ପୂର୍ବରୁ ଅପେକ୍ଷା କରି ରହିଥିବା ଧର୍ମେଶ ରାଜପୁତଙ୍କ ଠାରୁ ୫୦ ହଜାର ଟଙ୍କା ନେଇ ଭଞ୍ଜ କିଶୋର ଉକ୍ତ ଯୁବତୀଙ୍କୁ ଧର୍ମେଶଙ୍କୁ ହସ୍ତାନ୍ତର କରିବା ପରେ ଉକ୍ତ ଯୁବତୀ ଙ୍କ ମୋବାଇଲ ,ସୁନା କାନଫୁଲ ,ପାଉଁଜି ଓ ନଗଦ ୧୫ ହଜାର ଟଙ୍କା କୁ ଲୁଟି ନେଇ ସେଠାରୁ ଫେରାର ହୋଇଯାଇଥିଲେ।
ଭଞ୍ଜ କିଶୋର ସେଠାରୁ ଫେରାର ହେବା ପରେ ଧର୍ମେଶ ଉକ୍ତ ଯୁବତୀଙ୍କୁ ବିବାହ କରିଥିଲା। ତେବେ ଯୁବତୀ ଜଣକ ହିନ୍ଦି ଭାଷା କହି କିମ୍ବା ବୁଝିପାରୁ ନ ଥିବାରୁ ସେ ବହୁ ନିର୍ଯ୍ୟାତୀତ ହୋଇ ସେଠାରେ ରହିଥିଲେ। ତେବେ ସୁଯୋଗ ଦେଖି ଗତ କିଛି ଦିନ ପୂର୍ବେ ଯୁବତୀ ଜଣକ ଫୋନ ଯୋଗେ ନିଜ ଉପସ୍ଥିତି ଏବଂ ଅବସ୍ଥିତି ସମ୍ପର୍କରେ ପରିବାର ଲୋକଙ୍କୁ ସୂଚନା ଦେବାପରେ ଯୁବତୀର ଭାଇ ଏ ନେଇ ଦେବଗଡ ଥାନ ପୁଲିସ ନିକଟରେ ଘଟଣା ସମ୍ପର୍କରେ ସୂଚନା ଦେବା ପରେ ଦେବଗଡ ଏସ ପି ରାହୁଲ ଜୈନ ଉକ୍ତ ଅଂଚଳର ପୁଲିସ ମୁଖ୍ୟ ଙ୍କ ସହ ଯୋଗାଯୋଗ କରିବା ପରେ ତାଙ୍କ ନିର୍ଦ୍ଦେଶରେ ଦେବଗଡ ଆଦର୍ଶ ଥାନାର ମହିଳା ସବ ଇନ୍ସପେକ୍ଟର ସୁକାନ୍ତି କେରକେଟା ,କନେଷ୍ଟବଲ ମନ୍ମଥ ପ୍ରଧାନ ଓ ଯୁବତୀ ଙ୍କ ଭାଇ ସୁଲତାନଗଞ୍ଜରେ ପହଚିଂ ଉକ୍ତ ଯୁବତୀ ଙ୍କୁ ଉଦ୍ଦାର କରିବା ସହ ଆଜି ଦେବଗଡ ପହଚିଂ ଥିଲେ।
ଯୁବତୀଙ୍କ ଅଭିଯୋଗ ଅନୁଯାୟୀ ଦେବଗଡ ଥାନା ପୁଲିସ କେଶ ନଂ ୨୮/୨୦ ଦଫା ୪୧୭,୩୭୦,୩୭୯,୫୦୬ ଓ ୩୪ ରେ ମାମଲା ଋୁଜ୍ଜୁ କରି ଥିବା ବେଳେ ଅଭିଯୁକ୍ତ ଯୁବକ ଭଞ୍ଜକିଶୋର କୁ ରିଆମାଳ ଥାନା ପୁଲିସ ଅଟକ ରଖିଥିବା ଜଣା ପଡିଛି। ଭଞ୍ଜ କିଶୋର ଏହା ପୂର୍ବରୁ ଅନୁନ୍ୟ ୫ ଜଣ ଯୁବତୀ ଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଅନ୍ୟ ରାଜ୍ୟ ରେ ବିକ୍ରୀ କରିଥିବା ନେଇ ରିଆମାଳ ଥାନା ପୁଲିସ ନିକଟରେ ଅଭିଯୋଗ ହେବା ପରେ ରିଆମାଳ ଥାନା ପୁଲିସ ଅଟକ ରଖିଥିବା ଜଣାପଡିଛି। ଅନ୍ୟ ମାମଲାର ତଦନ୍ତ ପରେ ଭଞ୍ଜ କିଶୋର କୁ କୋର୍ଟ ଚାଳାଣ କରାଯିବ ବୋଲି ଏସପି ଶ୍ରୀ ଜୈନ ପ୍ରକାଶ କରିଛନ୍ତି।