ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ମାନବାଧିକାର ସଂରକ୍ଷଣ ସେଲ୍ (ଏଚଆରପିସି)ର ଏକ ଦଳ ଜଗତସିଂହପୁର ନାଉଗାଁ ଥାନା ଅନ୍ତର୍ଗତ ଟେଣ୍ଟୋଇ ଗ୍ରାମର ଜଣେ ଦଳିତ ଯୁବତୀଙ୍କ ଆତ୍ମହତ୍ୟା ନେଇ ତଦନ୍ତ ଆରମ୍ଭ କରାଯାଇଛି। ଏଚଆରପିସି ଟିମ୍ ପକ୍ଷରୁ ଆତ୍ମହତ୍ୟା କରିଥିବା ୨୩ବର୍ଷୀୟା ଦଳିତ ଯୁବତୀଙ୍କ ପରିବାରକୁ ଭେଟି ପରିବାରର ସାତଜଣ ସଦସ୍ୟଙ୍କ ସହ ଘଟଣା ସମ୍ବନ୍ଧରେ ଆଲୋଚନା କରିଥିଲେ।
ସୂଚନାଯୋଗ୍ୟ, ଦୀପକ ବେଉରା ନାମକ ଜଣେ ଯୁବକ ଯୁବତୀଙ୍କର କିଛି ଅଶ୍ଳୀଳ ଫଟୋ ତାଙ୍କ ଘର କାନ୍ଥରେ ମାରିବା ପରେ ଯୁବତୀ ଜଣଙ୍କ ଗତ ନଭେମ୍ବର ୭ରେ ଆତ୍ମହତ୍ୟା କରିଥିଲେ। ପୀଡ଼ିତାଙ୍କ ମା’ ସକୁଲି ଦାସଙ୍କ କହିବା ଅନୁଯାୟୀ, ଯୁବକ ଜଣଙ୍କ ତାଙ୍କ ଝିଅକୁ ଗତ ୩ବର୍ଷ ହେଲା ଅପମାନିତ କରିଆସୁଥିଲେ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯୁବକ ଜଣକ ଅଚାନକ ଦିନେ ତାଙ୍କ ଘର ଭିତରେ ପଶି ଯୁବତୀଙ୍କ ହାତଗୋଡ଼ ବାନ୍ଧି ଦେଇ ଅଶ୍ଳୀଳ ଫଟୋ ଉଠାଇଥିଲା। ଏନେଇ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଫଳରେ ଯୁବତୀ ଜଣକ ଆତ୍ମହତ୍ୟା କରିଥିଲେ। ଏହି ଘଟଣାକୁ ଚପାଇ ରଖିଥିବା ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏଚଆରପିସି ଟିମ୍ ସାମ୍ନାରେ ଦାବି କରିଛନ୍ତି ପୀଡିତାଙ୍କ ମା’।