‘ମୋ ବସ୍’ରେ ଯାଉଛନ୍ତି ଦୈନିକ ୭୦ ହଜାର, ୨୦ରୁ ଅଧିକ ରୁଟରେ ସେବା ଆରମ୍ଭ କରିବାକୁ ପରାମର୍ଶ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବୁଧବାର ଲୋକସେବା ଭବନଠାରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧା ଅଞ୍ଚଳରେ ଗମନାଗମନ କରୁଥିବା ‘ମୋ ବସ୍’ ସେବା ସମ୍ପର୍କରେ ସମୀକ୍ଷା କରିଛନ୍ତି। ‘ମୋ ବସ’ର ଉନ୍ନତ ଓ ସୁନିଶ୍ଚିତ ସେବା ଜନସାଧାରଣଙ୍କ ଦ୍ୱାରା ଆଦୃତ ହୋଇଛି ଏ ନେଇ ବର୍ତ୍ତମାନ ଦୈନିକ ‘ମୋ ବସ୍’ରେ ୭୦ ହଜାର ଲୋକ ଯାତ୍ରା କରୁଛନ୍ତି। ତେବେ ଏହି ସେବାକୁ ଆହୁରି ଉନ୍ନତ କରାଇ ୨୦୧୯ ଡିସେମ୍ବର ଶେଷ ସୁଦ୍ଧା ଦୈନିକ ଯାତ୍ରୀସଂଖ୍ୟା ୧ଲକ୍ଷରେ ପହଞ୍ôଚାଇବା ପାଇଁ ଲକ୍ଷ୍ୟ ରହିଛି ବୋଲି ସମୀକ୍ଷା ବୈଠକରୁ ଜଣାଯାଇଛି। ମୋ ବସ୍ ଚଳାଚଳ ଯୋଗୁଁ ସହରରେ ଟ୍ରାଫିକ ସମସ୍ୟା କମିବା ସହିତ ପ୍ରଦୂଷଣ ମଧ୍ୟ ହ୍ରାସପାଇଛି। ଅନ୍ୟପଟେ ଏବେ ରାଜଧାନୀ ବାସିନ୍ଦା ନିଜ ଗାଡ଼ିରେ ଯାତ୍ରା ନକରି ମୋ ବସ୍ରେ ଯାତ୍ରା କରିବାକୁ ବେଶି ପସନ୍ଦ କରୁଥିବା ବୈଠକରେ ପ୍ରକାଶ ପାଇଛି। ଏ ନେଇ ସରକାରଙ୍କ ପକ୍ଷରୁ ଏବେ ବାର୍ଷିକ ୫୫କୋଟି ଟଙ୍କା ସବସିଡି ଦିଆଯାଉଛି। ଅନ୍ୟପଟେ ଏହି ସେବା ଭୁବନେଶ୍ୱର, କଟକ ପରେ ପୁରୀ-କୋଣାର୍କ ସହ ଯୋଡ଼ି ହେବ ବୋଲି କ୍ଷେତ୍ରୀୟ ଅନୁମତି ପ୍ରଦାନ କରାଯାଇଛି। ବର୍ତ୍ତମାନ କଟକ ଭୁବନେଶ୍ୱେରରେ ୨୦ଟି ରୁଟ୍ରେ ୨୦୦ଟି ମୋ ବସ୍ ଯାତାୟତ କରୁଛି। ସେହିପରି ଏହି ସେବା ପାଇଁ ମାସିକିଆ ପାସ୍ ମଧ୍ୟ ଉପଲବ୍ଧ କରାଯାଇଛି। ଯେଉଁଥିରେ ଭୁବନେଶ୍ୱର ମହାନଗର ନିଗମ ସମେତ କଟକୁ ଯାତାୟତ କରୁଥିବା ସମସ୍ତ ମୋ ବସିଗୁଡ଼ିକରେ ଯାତ୍ରୀମାନେ ମାସିକିଆ ପାସ୍ ସାହାଯ୍ୟରେ ଅସିମୀତ ଯାତ୍ରା କରିବାର ସୁଯୋଗ ପାଉଛନ୍ତି। ବୟସ୍କ ଓ ଦିବ୍ୟାଙ୍ଗମାନଙ୍କ ନିମନ୍ତେ ‘ମୋ ବସ୍’ ସେବା ଅନ୍ତର୍ଗତ ସମସ୍ତ ରିହାତି ପ୍ରଦାନ କରାଯିବା ପାଇଁ ବ୍ୟବସ୍ଥା ହୋଇଛି। ସେହିପରି ୧୦୦ ପ୍ରତିଶତ ଅନ୍ଧ, ୫୦ରୁ ୧୦୦ ପ୍ରତିଶତ ବିକଳାଙ୍ଗ ଶରୀର, ମାନସିକ ବିକାରଗ୍ରସ୍ତ, ଏଚଆଇଭି କିମ୍ବା ଏଡସ୍ରେ ପୀଡ଼ିତ ଯାତ୍ରୀମାନଙ୍କ ନିମନ୍ତେ ଯାତ୍ରା ସମ୍ପୂଣ୍ଣ ଦେୟମୁକ୍ତ ବ୍ୟବସ୍ଥା କରାଯାଇଛି। ଏହି ସମୀକ୍ଷା ବୈଠକରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି ମାଥିଭାଥାନନ, ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ, ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ପିକେ ଚ୍ଛା, ଶୁଭେନ୍ଦୁ କାନୁନ୍ଗୋ, ଅନୁଶାସନ ସଚିବ ବେଲାଳସେନ ବେହେରା ଓ କ୍ରୁଟର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ।