ଦାଦନ ମହିଳାଙ୍କୁ ଉଦ୍ଧାର ପାଇଁ ଏସପି ଓ ଶ୍ରମ ଅଧିକାରୀଙ୍କ ଦ୍ୱାରସ୍ଥ ହେଲେ ପରିବାର ଲୋକେ

ଦେବଗଡ, ଏନଏନଏସ : ଦାଦନ ରୋକିବାକୁ ରାଜ୍ୟ ସରକାର ଶ୍ରମିକମାନଙ୍କୁ କର୍ମ ନିଯୁକ୍ତି ପାଇଁ ବିଭିନ୍ନ ଯୋଜନା କରିବା ସହ ନିର୍ମାଣ ସାମଗ୍ରୀ ସମେତ ପରିବାରର ସାମାଜିକ ପର୍ବ ପାଇଁ କୋଟି କୋଟି ଟଙ୍କା ରାଜକୋଷରୁ ବ୍ୟୟ କରୁଥିଲେହେଁ ଦାଦନଙ୍କ ନିର୍ଯ୍ୟାତନାର କରୁଣ କାହାଣୀ ଥମିବାର ନା ନେଉନାହିଁ। ଏଭିଳି ଘଟଣାର ଚିତ୍ର ଦେଖିବାକୁ ମିଳିଛି , ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ଜାମ୍ବୁନାଳୀ ଗ୍ରାମରେ।

ସୂଚନା ଅନୁଯାୟୀ, ଜାମ୍ବୁନାଳୀ ଗ୍ରାମର ବେଣୁଧର ମହାନନ୍ଦଙ୍କ ସ୍ତ୍ରୀ ପ୍ରମିଳା ମହାନନ୍ଦ(୨୪) ଙ୍କ ସହ ସୁଦୂର ତାମିଲନାଡୁ ଚେନ୍ନେଇ ମୁଲ୍ଲାକାଡାଇ ଅଂଚଳରେ ଥିବା ଭଗବାନ ଟିମ୍ବର ମାର୍ଟରେ ଶ୍ରମିକ ଭାବେ କାର୍ଯ୍ୟକରିବାକୁ ୬ମାସ ପୂର୍ବେ ଯାଇଥିଲେ। ତେବେ ଗତ ୨୫ ତାରିଖ ଶୁକ୍ରବାର ଦିନ ଅପରାହ୍ନ ପ୍ରାୟ ୪ଟା ସମୟରେ ପ୍ରମିଳା ରହୁଥିବା ଘର ନିକଟ ଦୋକାନକୁ ସୋଉଦା ଆଣିବାକୁ ଯାଇଥିବା ବେଳେ କେତେକ ଅଜ୍ଞାତ ବ୍ୟକ୍ତି ତାଙ୍କୁ ବଳ ପୂର୍ବକ ଅପହରଣ କରି ନେଇଥିଲେ। ଘରକୁ ଫେରି ବେଣୁଧର ସ୍ତ୍ରୀ ପ୍ରମିଳାକୁ ନ ପାଇବାରୁ ଏଣେ ତେଣେ ଖୋଜା ଖୋଜି କରି ଶେଷରେ ନିକଟସ୍ଥ କଡୁନଗାୟୁର ଥାନାରେ ପ୍ରମିଳାଙ୍କ ନିଖୋଜ ସମ୍ପର୍କୀତ ଅଭିଯୋଗ କରିଥିଲେ ।

ମାତ୍ର ସ୍ଥାନୀୟ ପୁଲିସ ବେଣୁଧରଙ୍କୁ ସହାୟତା ପରିବର୍ତେ ଏହି ମାମଲାର ତଦନ୍ତ ନେଇ କୈାଣସି ଆଗ୍ରହ ପ୍ରକାଶ କରୁ ନଥିବା ବେଣୁଧର ଅଭିଯୋଗ କରିଛି । ଅନ୍ୟ ପକ୍ଷରେ ଗତ ମଙ୍ଗଳବାର ଦିନ ଅପହୃତା ପ୍ରମିଳା କୈାଶଳ କ୍ରମେ ଅପହର୍ତାଙ୍କ ମୋବାଇଲ ଫୋନରୁ ନିଜ ସ୍ୱାମୀଙ୍କ ନିକଟକୁ ଫୋନ କରି ତାଙ୍କୁ ୫ଜଣ ଦୁର୍ବୃତ ବଳ ପୂର୍ବକ ଅପହରଣ କରି ନେଇଥିବା ସୂଚନା ଦେବା ସହ ଅପହରଣ ଦିନ ଠାରୁ ତାଙ୍କୁ ବିଭିନ୍ନ ନିର୍ଯ୍ୟାତନା ଦିଆଯାଉଥିବା କହିବା ସହ ତାଙ୍କୁ ଉଦ୍ଦାର କରିବା ପାଇଁ ନିବେଦନ କରିଥିଲେ ।

ଏ ନେଇ ବେଣୁଧର ଥାନାକୁ ଯାଇ ଫୋନ ଟ୍ରାକିଂ ମାଧ୍ୟମରେ ଅପହର୍ତାଙ୍କ ନିକଟରୁ ପ୍ରମିଳାଙ୍କୁ ଉଦ୍ଧାର ପାଇଁ ଗୁହାରୀ କରିଥିଲେ ମଧ୍ୟ ତାମିଲନାଡୁ ପୁଲିସ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବାରୁ ବେଣୁଧର ନିଜ ଗ୍ରାମ ଜାମ୍ବୁନାଳୀରେ ଥିବା ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇବା ସହ ସହାୟତା ପାଇଁ ଅନୁରୋଧ କରିବାରୁ ପରିବାର ଲୋକଙ୍କ ସହ କେତେକ ଗ୍ରାମବାସୀ ଓ ତାଙ୍କ ସମ୍ପର୍କୀୟ ମାନେ ଘଟଣା ସମ୍ପର୍କରେ ଦେବଗଡ ଏସପିଙ୍କୁ ଲିଖିତ ଅଭିଯୋଗ କରିବା ସହ ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ଯାଇ ଶ୍ରମଅଧିକାରୀଙ୍କ ଠାରେ ଦାଦନ ଯାଇ ଅପହରଣର ଶୀକାର ହୋଇଥିବା ପ୍ରମିଳାଙ୍କୁ ଉଦ୍ଧାର ପାଇଁ ଲିଖିତ ଅନୁରୋଧ କରିଥିବା ଜଣା ପଡ଼ିଛି।