ବଲାଙ୍ଗିର,ଏନ୍ଏନ୍ଏସ୍: ଦାଦନର ଆଉ ଏକ କରୁଣ କାହାଣୀ ବଲାଙ୍ଗିର ଜିଲ୍ଲାରେ ଦେଖିବାକୁ ମିଳିଛି। ଦଲାଲ ମାଧ୍ୟମରେ ଦାଦନ ଖଟି ଯାଇଥିବା ଜଣେ ଯୁବକ ଚିକତ୍ସା ଅବହେଳାରୁ ତାଙ୍କର ଏକ ଆଖି ହରାଇଛନ୍ତି। ବର୍ତ୍ତମାନ ଆଉ ଏକ ଆଖିରେ ମଧ୍ୟ ସମସ୍ୟା ଦେଖାଦେଇଛି। ଏଭଳି ପରିସ୍ଥିତିରେ ଯୁବକ ଜଣଙ୍କ ସହାୟତା ପାଇଁ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ୍ ଅନ୍ତର୍ଗତ ଡାହିମାଲ ପଞ୍ଚାୟତ ଖଣାଲଦରହୋ ଗାଁ’ର ଦେବାନନ୍ଦ ମାଝୀ, ପାଟଣାଗଡ଼ ଅଞ୍ଚଳର ଦାଦନ ସର୍ଦ୍ଦାର ସୁଶାନ୍ତ ପାତ୍ରଙ୍କ ମାଧ୍ୟମରେ ୮ ମାସ ତଳେ ଦାଦନ ଖଟିବା ପାଇଁ ଆନ୍ଧ୍ରପ୍ରଦେଶକୁ ଯାଇଥିଲେ। ସେଠାରେ ସେ ଏକ ଇଟାଭାଟିରେ କାମ କରୁଥିଲେ। ଦୀର୍ଘ ୫ ମାସ ତଳେ କାମ କରୁଥିବା ସମୟରେ ଇଟାଗୁଣ୍ଡ ତାଙ୍କ ଆଖିରେ ପଶିଯାଇଥିଲା। ସେ ଚିକିତ୍ସା ପାଇଁ ମାଲିକଙ୍କୁ କହିଥିଲେ। ତେବେ ଚିକିତ୍ସା କରିବା ବଦଳରେ ଜୋରଜବରଦସ୍ତ କାମ କରିବା ପାଇଁ ତାଙ୍କୁ ବାଧ୍ୟ କରାଯାଇଥିଲା ବୋଲି ଦେବାନନ୍ଦ କହିଛନ୍ତି।
ଠିକ୍ ସମୟରେ ଚିକିତ୍ସା କରାନଯିବାରୁ ଦେବାନନ୍ଦଙ୍କ ଗୋଟାଏ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ବର୍ତ୍ତମାନ ଆଉ ଏକ ଆଖିରେ ମଧ୍ୟ ସମସ୍ୟା ଦେଖାଦେଇଛି। ତେବେ ଦେବାନନ୍ଦ ପରିବାରର ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିବାରୁ ଆଖି ଚିକିତ୍ସା ପାଇଁ ତାଙ୍କ ପାଖରେ ଆର୍ଥର ଅଭାବ ଦେଖାଦେଇଛି। ଫଳରେ ଆଜି ଦେବାନନ୍ଦ ପରିବାର ସହିତ ଚିକିତ୍ସା ପାଇଁ ସହାୟତା ଯୋଗାଇଦେବା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି।