ବିଚାର ବିଭାଗୀୟ ହାଜତକୁ ଗଲେ ଶିବକୁମାର

ନୂଆଦିଲ୍ଲୀ, ଏଜେନ୍ସି : ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇଥିବା କର୍ଣ୍ଣାଟକର କଂଗ୍ରେସ ନେତା ଡିକେ ଶିବକୁମାରଙ୍କୁ ଦିଲ୍ଲୀର ସ୍ୱତନ୍ତ୍ର ଅଦାଲତ ମଙ୍ଗଳବାର ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ସ୍ୱତନ୍ତ୍ର ବିଚାରପତି ଅଜୟ କୁମାର କୁହର ଶିବକୁମାରଙ୍କୁ ହାଜତକୁ ପଠାଇ ଏହି କଂଗ୍ରେସ ନେତାଙ୍କୁ ପ୍ରଥମେ ହସପିଟାଲ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶିବକୁମାରଙ୍କ ପକ୍ଷରୁ ବରିଷ୍ଠ ଓକିଲ ଅଭିଷେକ ମନୁ ସିଙ୍ଘଭି କୋର୍ଟଙ୍କୁ କହିଥିଲେ, ତାଙ୍କ ମହକିଲଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ତେଣୁ ତାଙ୍କୁ ଜାମିନ ମଞ୍ଜୁର କରାଯାଉ। ତେବେ ବିଚାରପତି ଇଡିକୁ କହିଛନ୍ତି, ଡିକେ ଶିବକୁମାରଙ୍କୁ ହସପିଟାଲକୁ ନେଇ ସେ ହାଜତରେ ରହିବା ଅବସ୍ଥାରେ ଅଛନ୍ତି କି ନାହିଁ, ତାହା ପ୍ରଥମେ ସୁନିଶ୍ଚିତ କରାଯାଉ। ଏଥିପୂର୍ବରୁ ଇଡି ଶିବକୁମାରଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯିବା ଲାଗି କୋର୍ଟଙ୍କୁ ଅନୁରୋଧ କରିଥିଲା।