ଭୁବନେଶ୍ୱର,ଏନ୍ଏନ୍ଏସ୍: ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି। ବୁଧାବର ସକାଳ ସୁଦ୍ଧ ଏହା ବାତ୍ୟାରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ କେନ୍ଦ୍ରର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୫ଟାର ଏହି ଲଘୁଚାପ କେନ୍ଦ୍ରୀୟ ବଙ୍ଗୋପସାଗରେ ଅବପାତରେ ପରିଣତ ହୋଇଛି। ଏବେ ଏହା ପାରାଦୀପଠାରୁ ୮୭୦ କିମି ଦୂରରେ ରହିଥିବା ବେଳେ ଉତ୍ତର ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ତେବେ କେଉଁ ଉପକୂଳରେ ଏହା ପହଞ୍ଚିବ ସେନେଇ ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ। ମାତ୍ର ବାତ୍ୟାଟି ଉତ୍ତର ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ମୁହାଁଇବା ନେଇ ଆଶଙ୍କା ଥିଲେ ମଧ୍ୟ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବାର ଆଶଙ୍କା କମ ରହିଛି ବୋଲି ଡ. ମହାପାତ୍ର ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ଏହା ପ୍ରଭାବରେ ଆସନ୍ତା ୯ ତାରିଖଠାରୁ ଉତ୍ତର ଓଡ଼ିଶାର ଉପକୂଳ ଜିଲ୍ଲାଗଡ଼ିକରେ ବର୍ଷା ହେବା ସହ ପବନର ବେଗ ଘଣ୍ଟା ପ୍ରତି ୪୦-୫୦ କିମି ପର୍ଯ୍ୟନ୍ତ ରହିବ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ଆସନ୍ତା ୮ ତାରିଖପରଠାରୁ ସମୁଦ୍ର ଭିତରକୁ ନଯିବା ପାଇଁ କହୁଯାଇଥିବା ବେଳେ ଯେଉଁମାନେ ସମୁଦ୍ର ଭିତରେ ଅଛନ୍ତି ସେମାନେ ୭ ତାରିଖ ରାତି ସୁଦ୍ଧା କୂଳକୁ ଫେରିଆସିବା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।
ଲଘୁଚାପଟି ଅବପାତରେ ପରିଣତ ହୋଇସାରିଥିବା ବେଳେ ବୁଧବାର ସନ୍ଧ୍ୟା ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବ। ଯାହାର ନାମ ବୁଲବୁଲ୍ ରହିବ। ତେବେ ୭ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ଅଧିକ ଘନିଭୂତ ହୋଇ ୮ ତାରିଖ ସନ୍ଧ୍ୟା ସୁଦ୍ଧା ଭେରି ସିଭିୟର ସାଇକ୍ଲୋନରେ ପରିଣତ ହେବ। ଯାହାକି ସ୍ଥଳ ଛୁଇଁବା ବେଳେ ପବନର ବେଗ ୧୨୦ କିମିରୁ ଅଧିକ ରହିବ। ତେବେ ମଙ୍ଗଳବାର ଦିନ ଏହି ଅବପାତଟି ପଶ୍ଚିମ ଦିଗରେ ଗତି କରୁଥିବା ବେଳେ ବାତ୍ୟାରେ ପରିଣତ ହୋଇସାରିବା ପରେ ଓଡ଼ିଶା ଆଡ଼କୁ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। କିନ୍ତୁ ୯ ତାରିଖ ସକାଳୁ ଦକ୍ଷିଣ ଓଡ଼ିଶା ଉପକୂଳର ଉତ୍ତର ବଙ୍ଗୋପସାଗରର ସଂଲଗ୍ନ କେନ୍ଦ୍ରିୟ ବଙ୍ଗୋପସାଗରରେ ଏହାର ଗତି କମିଯିବାରୁ ପ୍ରାୟତଃ ୩୬ ଘଣ୍ଟା କାଳ ସ୍ଥିର ରହିବ। ଏହାପରେ ବାତ୍ୟାଟି ଦିଗ ପରିବର୍ତ୍ତନ କରି ଉତ୍ତର ଆଡ଼କୁ ଗତି କରିବ କିମ୍ବା ପ୍ରାୟତଃ ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ଯଦି ଏହା ଉତ୍ତର ଆଡ଼କୁ ଗତି କରେ ତାହେଲେ ଏହା ବାଂଲାଦେଶରେ ସ୍ଥଳଭାଗ ଛୁଇଁବ। ସେହିପରି ଯଦି ଏହା ଉତ୍ତର ଉତ୍ତର ପଶ୍ଚିମ ଦିଗରେ ଗତି କରେ ତାହେଲେ ପଶ୍ଚିମବଙ୍ଗକୁ ଛୁଇଁବା ସମ୍ଭାବନା ରହିଛି।
-ସୁରେନ୍ଦ୍ର ନାଥ ପଶୁପାଳକ, ପାଣିପାଗ ବିଶେଷଜ୍ଞ ପ୍ରଫେସର