ଆରବସାଗରରେ ଆସୁଛି ବାତ୍ୟା, ଓଡ଼ିଶାର କିଛି ଜିଲ୍ଲାକୁ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ/ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ଓ ଆସନ୍ତାକାଲି ରାଜ୍ୟର କିଛି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରାଯାଇଛି। କାଳବୈଶାଖୀ ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା ମାଲକାନଗିରି, ରାୟଗଡ଼ା, କନ୍ଧମାଳର କିଛି ଅଞ୍ଚଳରେ ବର୍ଷା ହୋଇପାରେ। ସେହିପରି ଏହି ଜିଲ୍ଲାର କିଛି ଅଞ୍ଚଳରେ ଘଡଘଡି ସହିତ ବର୍ଷା ହୋଇପାରେ। ସେପଟେ ଆରବସାଗରରେ ଆସନ୍ତା ୨୪ ଘଣ୍ଟାରେ ଲଘୁଚାପ ସୃଷ୍ଟି ହୋଇପାରେ।

ଭାରତୀୟ ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ ଦକ୍ଷିଣ ପୂର୍ବ ଆରବ ସାଗରରେ ଗୋଟିଏ ଘୂର୍ଣ୍ଣିବଳୟ ଦେଖାଦେଇଛି। ତେବେ ଏହା ଘନୀଭୂତ ହୋଇ ଆସନ୍ତା ୨୪ ଘଣ୍ଟାରେ ଲଘୁଚାପର ରୂପ ନେଇପାରେ। ଏହା ଆସନ୍ତା କାଲି ସୁଦ୍ଧା ଲକ୍ଷଦ୍ୱୀପ ଉପରେ କେନ୍ଦ୍ରଭୂତ ହୋଇ ଅବପାତର ରୂପ ନେଇପାରେ। ଏହା ଘନୀଭୂତ ହେବା ସହ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ବୋଲି ଆକଳନ କରାଯାଉଛି। ଏହା ସାମୁଦ୍ରିକ ଝଡ଼ର ରୂପ ନେବାପରେ ଏହାର ନାମ ‘ତାଉକେତ’ ରହିବ।