ବଢ଼ୁଛି ବାତ୍ୟା ଆଶଙ୍କା: ଯଦି ହୁଏ, ନାଁ ହେବ ‘ବୁଲବୁଲ୍’, ୧୯୯୯ ମହାବାତ୍ୟା ବି ଏଇଠୁ ହୋଇଥିଲା ଉତ୍ପତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଉତ୍ତର ଆଣ୍ଡାମାନରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୂପ ନେବ କି ନାହିଁ ତାହା ଆସନ୍ତା ଦୁଇ ଦିନ ମଧ୍ୟରେ ସ୍ପଷ୍ଟ ହେବ। ଯଦି ଏହା ବାତ୍ୟାର ରୂପ ନେବ ତାହା ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ୍ କରିବ କି ଅନ୍ୟ କେଉଁଆଡ଼କୁ ଯିବ ସେନେଇ ବି ଦୁଇ ଦିନ ପରେ ଜଣାପଡ଼ିବ ବୋଲି ଭାରତୀୟ ପାଣିପାଗ କେନ୍ଦ୍ରର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ତେବେ ବର୍ତ୍ତମାନ କେବଳ ଏହା ଲଘୁଚାପ ରୂପରେ ରହିଛି ତେଣୁ ଏବେଠାରୁ ଏହାର ସଠିକ୍ ଆକଳନ କରିବା ସମ୍ଭବ ନୁହେଁ ଓ ବାତ୍ୟା ନେଇ କେବଳ ୫୦-୫୦ ପ୍ରତିଶତ ଆକଳନ କରାଯାଇ ପାରେ ବୋଲି ବୋଲି ଡ. ମହାପାତ୍ର କହିଛନ୍ତି।

ଅନ୍ୟପକ୍ଷରେ ଏହି ଲଘୁଚାପଟି ଆସନ୍ତା ୧୨ ଘଣ୍ଟା ମଧ୍ୟରେ ୱେଲମାର୍କ ଲୋ ପ୍ରେସରରେ ପରିଣତ ହୋଇ ଆଗକୁ ଗତି କରିବ। କ୍ରମଶଃ ଏହା ଘନିଭୁତ ହେବ। ଏହା ପ୍ରଭାବରେ ଆସନ୍ତା ୮ ତାରିଖରୁ ୧୦ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ଆକଳନ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଥିବା ବେଳେ ଉପକୂଳ ଅଞ୍ଚଳଗୁଡ଼ିକରେ ବର୍ଷାର ପରିମାଣ ଅଧିକ ରହିବ ବୋଲି ସୂଚନା ଦିଆଯାଇଛି।

ସମ୍ଭାବ୍ୟ ବାତ୍ୟାକୁ ନେଇ ‘ନିତିଦିନ’କୁ ଦେଇଥିବା ମତାମତ

ଉତ୍ତର ଆଣ୍ଡାମାନ ସାଗରରେ ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି। ଧିରେ ଧିରେ ଏହା ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ଆସନ୍ତା ଦୁଇ ଦିନ ମଧ୍ୟରେ ଏହା ଅଧିକ ଘନିଭୂତ ହୋଇ ଡିପ୍ରେସନ୍ର ରୂପ ନେଇ ଆଗକୁ ବଢ଼ିବାର ସମ୍ଭାବନା ରହିଛି। ତେବେ ଏହା ବର୍ତ୍ତମାନ ସମୁଦ୍ର ପତନଠାରୁ ୫.୮ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି। ସେହିପରି ବାତ୍ୟା ଆଶଙ୍କା ନେଇ ଯଦିଓ ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ କୌଣସି ପକ୍କା କରାଯାଇ ନାହିଁ ହେଲେ ଯଦି ଏହା ବାତ୍ୟାରେ ପରିଣତ ହୁଏ ତାହେଲେ ଆନ୍ଧପ୍ରଦେଶଠାରୁ ମିଆଁମାର ପର୍ଯ୍ୟନ୍ତ ଯେ କୌଣସି ସ୍ଥାନରେ ସ୍ଥଳଭାଗ ଛୁଇଁପାରେ। ତେଣୁ ଏବେଠାରୁ ବାତ୍ୟାନେଇ ବିବ୍ରତ ନହେବା ପାଇଁ ସେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ୧୯୯୯ ମସିହାରେ ହୋଇଥିବା ମହାବାତ୍ୟାଟି ବର୍ତ୍ତମାନ ସୃଷ୍ଟି ହୋଇଥିବା ଲଘୁଚାପ ସ୍ଥଳର ଆଖପାଖ ଅଞ୍ଚଳରୁ ହିଁ ସୃଷ୍ଟି ହୋଇଥିଲା। ତେଣୁ ଯଦି ଏହା ବାତ୍ୟାରେ ପରିଣତ ହୁଏ ତାହେଲେ କେତେ କ୍ଷତିକାରକ ହେବ ସେନେଇ ବି ଆଶଙ୍କା ଦେଖାଦେଇଛି। ସେହିପରି ବିଭିନ୍ନ ବିଦେଶୀ ପାଣିପାଗ ସଂସ୍ଥାମାନେ ବାତ୍ୟା ହେବାନେଇ ଆକଳନ କରୁଥିବା ବେଳେ କେନ୍ଦ୍ର ସରକାରଙ୍କ ଅଧିନସ୍ଥ ସ୍ୱୟଂଶାସିତ ସଂସ୍ଥା ଇଣ୍ଡିଆନ୍ ନ୍ୟାସନାଲ ସେଣ୍ଟର ଫର ଓସେନ୍ ଇନଫର୍ମେସନସର୍ଭିସ ମଧ୍ୟ ବାତ୍ୟା ଓଡ଼ିଶାରେ ଲ୍ୟାଣ୍ଡଫଲ୍ କରିବା ନେଇ ପୂର୍ବାନୂମାନ କରିଛି। ତେବେ ଯଦି ଏହା ବାତ୍ୟାରେ ପରିଣତ ହୁଏ ତାହେଲେ ଆସନ୍ତା ୭ ତାରିଖ ପରେ ଏହାର ନାମକରଣ ମଧ୍ୟ ହୋଇ ‘ବୁଲବୁଲ୍’ ରଖାଯିବ।

-ଏଚଆର୍ ବିଶ୍ୱାସ, ନିର୍ଦ୍ଦେଶକ,ଭୁବନେଶ୍ୱର ପାଣିପାଗ କେନ୍ଦ୍ର

ବର୍ତ୍ତମାନ ଜଳବାୟୁଟି ବାତ୍ୟା ପାଇଁ ସହାୟକ ହେଉଛି। ଏହାସହିତ ଆରବ ସାଗରରେ ଥିବା ବାତ୍ୟା ‘ମହା’ ଦୁର୍ବଳ ହେଲେ ଏହି ଲଘୁଚାପକୁ ଆହୁରି ଶକ୍ତି ମିଳିବ। ତେଣୁ ଆସନ୍ତା ୭ ତାରିଖ ସୁଦ୍ଧା ଏହି ଲଘୁଚାପ ବଳୟଟି ଅଧିକ ଘନିଭୂତ ହୋଇ ବାତ୍ୟାର ରୂପ ନେବାର ସମ୍ଭାବନା ଅଛି। ଏହାସହିତ ଯଦି ଏହା ବାତ୍ୟାରେ ପରିଣତ ହୁଏ ତାହେଲେ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗକୁ ଗତ ଓଡ଼ିଶା ଉପକୂଳକୁ ଆସିପାରେ। ତେବେ ଓଡ଼ିଶା ଉପକୂଳକୁ ଆସିଲେ ଏହା ୧୦ ତାରିଖ ସୁଦ୍ଧା ପୁରୀ ଜିଲ୍ଲାରେ ଲ୍ୟାଣ୍ଡଫଲ କରିପାରେ। ମାତ୍ର ୭ ତାରିଖ ପରେ ଏହା ସ୍ପଷ୍ଟ ଚିତ୍ର ମିଳିପାରିବ ବୋଲି ଶ୍ରୀ ସାହୁ କହିଛନ୍ତି। ଅନ୍ୟପକ୍ଷରେ ଆସନ୍ତା ୫ ତାରିଖ ପରଠାରୁ ସମୁ୍ଦ୍ର ଅଶାନ୍ତ ରହିବା ସହିତ ପବନର ବେଗ ମଧ୍ୟ ବଢ଼ିବ ବୋଲି କୁହାଯାଇଛି। ତେଣୁ ୫ ତାରିଖ ପରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ବାରଣ କରାଯାଇଛି।

-ଶରତ ଚନ୍ଦ୍ର ସାହୁ, ପୂର୍ବତନ ନିର୍ଦ୍ଦେଶକ, ଆଞ୍ଚଳିକ ପାଣିପାଗ କେନ୍ଦ୍ର

 

ଲଘୁଚାପଟି ୱେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି। ଆସନ୍ତା ମଙ୍ଗଳବାର କିମ୍ବା ବୁଧବାର ସୁଦ୍ଧା ଏହା ଡିପ୍ରେସନରେ ପରିଣତ ହେବ। ତେବେ ୬ ତାରିଖ ଦିନ ଏହା ଆଣ୍ଡାମାନ ଅତିକ୍ରମ କରି ସେହିସ୍ଥାନରେ ହିଁ ପ୍ରାୟତଃ ୨୪ ଘଣ୍ଟା ସ୍ଥିର ରହିବ। ୭ ତାରିଖ ପରେ ଏହା ଦିଗ ପରିବର୍ତ୍ତନ କରିବା ପରେ ହିଁ କେତେ ଘନିଭୂତ ହେବ ଓ କେଉଁ ସ୍ଥାନରେ କେତେବେଳେ ସ୍ଥଳ ଭାଗ ଛୁଇଁବ ତାହା ସ୍ପଷ୍ଟ ହେବ। କିନ୍ତୁ ବର୍ତ୍ତମାନ ରାଜ୍ୟକୁ ଉତ୍ତରା ପବନ ବୋହୁଥିବା ବେଳେ ଏହା ୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ତେବେ ୭ ତାରିଖରେ ‘ମହା’ ଦୁର୍ବଳ ହୋଇ ସ୍ଥଳଭାଗ ଛୁଇଁବା ପରେ ରାଜ୍ୟକୁ ବାୟୁ ପ୍ରବାହ ଦିଗରେ ପ୍ରଭାବ ପଡ଼ିବ। ବାୟୁ ପ୍ରବାହ ଓ ତାପମାତ୍ରାକୁ ଦେଖିଲେ ବର୍ତ୍ତମାନ ସ୍ଥିତି ଅସ୍ପଷ୍ଟ ରହଥିବା ସହ ତିନୋଟି ଦିଗକୁ ଇଙ୍ଗିତ କରୁଛି। ଗୋଟିଏ ପଟେ ୭ ତାରିଖ ପରେ ଏହା ଦିଗ ପରିବର୍ତ୍ତନ କରିବା ନେଇ ସମ୍ଭାବନା ରହିଛି। ଯଦି ଏହା ନହୁଏ ତାହାଲେ ୯ ତାରିଖ ବେଳକୁ ମିଅ।ମାର ଆଡ଼କୁ ମଧ୍ୟ ବାତ୍ୟା ଯାଇପାରେ ନଚେତ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ପଶ୍ଚିମବଙ୍ଗ ଆଡ଼େ ମୁହାଁଇବ। ତେବେ ଏହା ହୁଏତ ସ୍ଥଳଭାଗ ଛୁଇଁବା ପୂର୍ବରୁ ଦୁର୍ବଳ ହେବା ନେଇ ମଧ୍ୟ ସମ୍ଭାବନା ରହିଛି।

-ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ, ପାଣିପାଗ ବିଶେଷଜ୍ଞ