କୋଲକାତା : ମହାବାତ୍ୟାରୁ ଟିକେ କମି ଯାଇଥିଲେ ମଧ୍ୟ ଅମ୍ଫାନ୍ ତାଣ୍ଡବ ରଚୁଛି ପଶ୍ଚିମବଙ୍ଗରେ । ଓଡ଼ିଶାରେ ଅଳ୍ପ କେତେକ ଜିଲ୍ଲାରେ ପ୍ରଳୟ ରଚିବା ପରେ ପଶ୍ଚିମବଙ୍ଗ ମୁହାଁ ହୋଇଥିଲା । ଠିକ୍ ସନ୍ଧ୍ୟା ଆସିବା ପୂର୍ବରୁ ଆରମ୍ଭ ହୋଇଯାଇଥିଲା ତାଣ୍ଡବ। ଧୀରେ ଧୀରେ ଏହାର ବେଗ ବଢ଼ିଲା ଏବଂ ସୁନ୍ଦରବନ ସମେତ ଦିଘା ଏବଂ ଆଖପାଖ ଅଞ୍ଚଳରେ ଭୟଙ୍କର ରୂପଣ ଧାରଣ କରି ସ୍ଥଳଭାଗ ଛୁଇଁଥିଲା।
ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଅମ୍ଫାନ୍ ଠିକ୍ ଦିଘା ଓ ବାଂଲାଦେଶ ହଟିଆ ମଝିରେ ଲ୍ୟାଣ୍ଡଫଲ୍ କରିଥିଲା । ପବନ ସହିତ ମୂଷଳଧାରାରେ ବର୍ଷା ହେଉଥିଲା। କୋଲକାତା ସହରର ଅନେକ ଜାଗାରେ ପାଣି ଭର୍ତ୍ତି ହୋଇ କୃତ୍ରିମ ବନ୍ୟା ସୃଷ୍ଟି କରିଥିଲା । ପଶ୍ଚିମବଙ୍ଗ ସରକାର ଲକ୍ଷାଧିକ ଲୋକଙ୍କୁ ବାତ୍ୟା ଆସିବା ପୂର୍ବରୁ ସ୍ଥାନାନ୍ତର କରିସାରିଥିଲେ। ହେଲେ ଆଶା ଅପେକ୍ଷା ଏହି ବାତ୍ୟା ତାଠାରୁ ଅଧିକ ଭୟଙ୍କର ରୂପ ଦେଖାଇଥିଲା । ଅନେକ ସ୍ଥାନରେ ଘର, ଗଛ ଏବଂ ବିଦ୍ୟୁତ୍ ଖୁଣ୍ଟି ଉପୁଡ଼ି ପଡ଼ିବା ଫଳରେ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଥିଲା।
ପାଣିପାଗ ବିଭାଗ ଅନୁସାରେ ଲ୍ୟାଣ୍ଡଫଲ୍ ପ୍ରକିୟା ପ୍ରାୟ ଚାରିଘଣ୍ଟା ଧରି ଚାଲିବ । ତେଣୁ ପ୍ରଭାବିତ ଅଞ୍ଚଳରେ ଆଉ କିଛି ସମୟ ଉତ୍ପାତ କରିବ ଅମ୍ଫାନ୍ । ସେହିପରି ଏହି ଭୟଙ୍କର ବାତ୍ୟା ବାଂଲାଦେଶରେ ମଧ୍ୟ ଜୋରସୋରରେ ତାଣ୍ଡବ କରୁଛି ।