ଭାରତ-ବାଂଲା ସୀମାରେ ଲ୍ୟାଣ୍ଡଫଲ୍ : ଘଣ୍ଟାକୁ ୧୮୫ କି.ମି ବେଗରେ ପବନ, ୪ଘଣ୍ଟା ଧରି ରଚିଲା ତାଣ୍ଡବ

ନୂଆଦିଲ୍ଲୀ, ଏଜେନ୍ସି: ବଙ୍ଗୋପସାଗରରେ ଚଳିତ ଶତାବ୍ଦୀର ଭୟଙ୍କର ମହାବାତ୍ୟା ଅମ୍ପନ ବୁଧବାର ଅପରାହ୍ନରେ ଭାରତ-ବାଂଲାଦେଶ ସୀମାରେ ସ୍ଥଳଭାଗ ଛୁଇଁଛି। ଅପରାହ୍ନ ୨.୩୦ ମିନିଟ୍ ପରେ ଏହା ସାଗର ଦୀପ ନିକଟବର୍ତ୍ତୀ ହୋଇ ପଶ୍ଚିମବଙ୍ଗର ଦିଘା ଏବଂ ବାଂଲାଦେଶର ହାତିଆ ଦ୍ୱୀପ ମଧ୍ୟରେ ସୁନ୍ଦରବନ ନିକଟରେ ମାଡ଼ ହୋଇଥିଲା। ସମ୍ପୂର୍ଣ୍ଣ ଲ୍ୟାଣ୍ଡଫଲ୍ ପାଇଁ ୪ ଘଣ୍ଟା ଲାଗିଥିବା ବେଳେ ଏହି ସମୟରେ ଓଡ଼ିଶାର ଉତ୍ତର ଉପକୂଳବର୍ତ୍ତୀ କିଛି ଅଂଶ ସମେତ ପଶ୍ଚିମବଙ୍ଗର ବିଭିନ୍ନ ଜିଲ୍ଲା ଏବଂ ବାଂଲାଦେଶର ବିଭିନ୍ନ ସ୍ଥାନରେ ତାଣ୍ଡବଲୀଳା ରଚିଛି।

ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାକୁ ସର୍ବାଧିକ ୧୮୫ କିମି ରହିବା ସହିତ ଏହା ଉତ୍ତର ଦିଗକୁ କୋଲକାତା ଆଡ଼କୁ ମୁହାଁଇବା ପୂର୍ବରୁ ଦୀର୍ଘ ୪ ଘଣ୍ଟା ଧରି ଏହାର ଭୟଙ୍କରୀ ପ୍ରକୋପ ଜାରି ରହିଥିଲା। ଏହି ସମୟରେ ପ୍ରବଳ ପବନ ବହିବା ସହିତ ଭାରୀ ବର୍ଷା ଲାଗି ରହିଥିଲା ଏବଂ ସମୁଦ୍ରରେ ପ୍ରାୟ ୧୭ ଫୁଟ୍ ଉଚ୍ଚର ଜୁଆର ସୃଷ୍ଟି ହୋଇ ବିଭିନ୍ନ ସ୍ଥାନରେ ସମୁଦ୍ର କୂଳ ଲଙ୍ଘିଥିବାରୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡ଼ିଛି।ସ୍ଥଳଭାଗ ଛୁଇଁବା ପରେ ÷ଅମ୍ପନ ପଶ୍ଚିମବଙ୍ଗ ଉପର ଦେଇ ଉତ୍ତର ପୂର୍ବମୁହାଁ ହୋଇଛି। ସାମୁଦ୍ରିକ ବାତ୍ୟାରୁ ଏହା ଭୀଷଣ ଅବପାତରେ ପରିଣତ ହେବା ସହିତ ପରବର୍ତ୍ତୀ ସମୟରେ ଦୁର୍ବଳ ହୋଇ ଅବପାତରେ ପରିଣତ ହେବ। ଫଳରେ ପଶ୍ଚିମବଙ୍ଗ ସମେତ ଆସାମ, ମେଘାଳୟ ଏବଂ ମିଜୋରାମ୍ ଭଳି ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡିକରେ ବୁଧବାର ରାତିରେ ଭୀଷଣ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରିଦିଆଯାଇଛି।

ପଶ୍ଚିମବଙ୍ଗର ୫ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି :

ପଶ୍ଚିମବଙ୍ଗ ଉପକୂଳରେ ଅମ୍ପନର ସମ୍ଭାବ୍ୟ ଲ୍ୟାଣ୍ଡଫଲ୍କୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ରାଜ୍ୟ ପାଇଁ ‘ଅରେଞ୍ଜ’ ସଙ୍କେତ ଜାରି କରାଯାଇଥିଲା ବେଳେ ବିଭିନ୍ନ ଜିଲ୍ଲାରେ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ନିଆଯାଇଥିଲା। ଏହାସତ୍ତେ୍ୱ ଅମ୍ପନ ପ୍ରକୋପରେ ରାଜଧାନୀ ସହର କୋଲକାତା ସମେତ ହୁଗୁଳି, ହାୱଡ଼ା,ଦକ୍ଷିଣ ଏବଂ ଉତ୍ତର ୨୪ ପ୍ରଗଣା ଓ ପୂର୍ବ ମେଦିନପୁର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡ଼ିଛି। ଗଛ ପଡ଼ି ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଜଣେ ୫୫ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ହାୱଡ଼ାରେ ଟିଣ ପଡ଼ି ଜଣେ ୧୩ ବର୍ଷର ବାଳିକାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ହାୱଡ଼ା ଠାରେ ଏକ ବିରାଟ ପାଚେରି ଭୁଷୁଡ଼ି ପଡ଼ିବାରୁ ସେଠାରେ ପାର୍କିଂ ସ୍ଥଳରେ ଥିବା ବହୁ ସଂଖ୍ୟକ ଗାଡ଼ି ଭାଙ୍ଗି ଚୁରମାର୍ ହୋଇଯାଇଛି। ଏହାସହିତ ବିଭିନ୍ନ ସ୍ଥାନରେ ଗଛ ଏବଂ ବିଜୁଳି ଖୁଣ୍ଟ ଉପୁଡ଼ିପଡ଼ିଛି। ପ୍ରଥମିକ ଆକଳନ ଅନୁଯାୟୀ ଉପରୋକ୍ତ ୫ଟି ଜିଲ୍ଲାରେ ହଜାର ହଜାର ସଂଖ୍ୟାରେ ଗଛ ଉପୁଡ଼ିପଡ଼ିବା ସହିତ ଶହ ଶହ ସଂଖ୍ୟାରେ ବିଜୁଳି ଖୁଣ୍ଟ ଉପୁଡ଼ି ରାସ୍ତା ଉପରେ ପଡ଼ି ରହିଛି। ପ୍ରକୃତିର ଏହି ତାଣ୍ଡବଲୀଳାକୁ ନେଇ ବିଭିନ୍ନ ସ୍ଥାନରେ କଚ୍ଚା ଘର ଏବଂ ଟିଣ ଛପର ଘର ମାଟିରେ ମିଶିଯାଇଛି। ସନ୍ଧ୍ୟା ପ୍ରାୟ ୭ ବେଳେ ଅମ୍ପନ କୋଲକାତା ସହରରେ ତାଣ୍ଡବଳୀଳା ରଚିଥିଲା।

ଏଠାରେ ଘଣ୍ଟାକୁ ପ୍ରାୟ ୧୨୦ କିମି ବେଗରେ ପବନ ବହିବା ସହିତ ବର୍ଷା ଲାଗି ରହିଥିଲା ବେଳେ ସହରର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବିଶେଷକରି ବସ୍ତି ଅଞ୍ଚଳରେ ଶହ ଶହ ଘର ଭାଙ୍ଗିପଡ଼ିବା ସହିତ ବିଭିନ୍ନ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିବା ଖବର ମିଳିଛି। କୋଲକାତା ସହର ନିଗମ ପକ୍ଷରୁ ସହରର ଖାଲିଥିବା ବିଭନ୍ନ ସ୍କୁଲ ସମେତ ସମାଜକଲ୍ୟାଣ କେନ୍ଦ୍ରଗୁଡିକରେ ଆପାଦକାଳୀନ ଆଶ୍ରୟସ୍ଥଳ ଖୋଲାଯାଇଛି। ସେହପରି ପରିସ୍ଥିତି ଉପରେ ନଜର ରଖିବା ସହିତ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଉଦ୍ଦେଶ୍ୟରେ ସହରରେ ୯୦୦୦ରୁ ଊଦ୍ଧ୍ୱର୍ ପୁଲିସ୍ କର୍ମଚାରୀଙ୍କୁ ମୁତୟନ କରାଯାଇଥିବା କୁହାଯାଇଛି।

ସମ୍ପୂର୍ଣ୍ଣ ଅନ୍ଧାରରେ ଉତ୍ତର,ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା:

ରାଜଧାନୀ କୋଲକାତାର କେତେକ ଅଞ୍ଚଳ ସମେତ ଦକ୍ଷିଣ ଓ ଉତ୍ତର ୨୪ ପ୍ରଗଣା ଜିଲ୍ଲା, ହାୱଡ଼ା ଏବଂ ହୁଗୁଳି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ସରୋବରାହ ସମ୍ପୂର୍ଣ୍ଣ ବ୍ୟାହତ ହୋଇପଡ଼ିଥିବାରୁ ଏହିସବୁ ଅଞ୍ଚଳ ଅନ୍ଧକାରମୟ ହୋଇପଡ଼ିଛି। ସ୍ଥିତି ମୁକାବିଲା ପାଇଁ ପାୱାରଗ୍ରୀଡ କର୍ପୋରେସନ, ଏନ୍ଟିପିସି ପକ୍ଷରୁ ଭୁବନେଶ୍ୱର ଏବଂ କୋଲକାତା ଠାରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଥିବା ବେଳେ ଏହି ଦୁଇଟି ରାଷ୍ଟ୍ରାୟତ୍ତ କମ୍ପାନୀ ସମେତ ପୋସୋକୋ ପକ୍ଷରୁ ପଶ୍ଚିମବଙ୍ଗ ରାଜ୍ୟ ବିଦ୍ୟୁତବଣ୍ଟନକାରୀ ସଂସ୍ଥାମାନଙ୍କ ସହିତ ଯୋଗାଯୋଗ ରକ୍ଷା କରାଯାଇ ଯୁଦ୍ଧକାଳୀନ ଭିତ୍ତିରେ ପୁନଃଯୋଗାଯୋଗ ବ୍ୟବସ୍ଥା କରାଯାଉଛି।