ଭୁବନେଶ୍ୱର,ଏନ୍ଏନ୍ଏସ୍ : ସାରା ଦେଶ ଓ ରାଜ୍ୟରେ କରୋନା ତାଣ୍ଡବ ଖେଳୁଥିବାବେଳ, ତା’ ଉପରେ ମାଡ଼ି ଆସିଛି ବାତ୍ୟା ଅମ୍ଫାନ। ବର୍ତ୍ତମାନ ରାଜ୍ୟରେ କରୋନା ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବା ବେଳେ ସେନେଇ ରାଜ୍ୟ ସରକାର ବିଭିନ୍ନ କଟକଣା ଜାରି ରଖିଛନ୍ତି। ହେଲେ ବର୍ତ୍ତମାନ ରାଜ୍ୟରେ ଆଉ ଏକ ବିପତି ମାଡ଼ି ଆସୁଛି। ବର୍ତ୍ତମାନ କ’ଣ କରିବେ ବୋଲି ଏ ନେଇ ସମସ୍ତେ ଚିନ୍ତିତ ମଧ୍ୟ ଅଛନ୍ତି। ଗୋଟିଏ ପଟେ ସାରା ବିଶ୍ୱରେ କାରୋନା କାୟା ବିସ୍ତାର କରିଥିବାବେଳେ ଅନ୍ୟପଟେ ଓଡ଼ିଶାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ସବୁଠୁ ଅଧିକ ଆକ୍ରାନ୍ତ ହୋଇଛନ୍ତି ଗଞ୍ଜାମ ଜିଲ୍ଲାରେ। ରାଜ୍ୟରେ ବର୍ତ୍ତମାନ ୮୭୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି।
ବର୍ତ୍ତମାନ ରାଜ୍ୟରେ ବାତ୍ୟା ଅମ୍ଫାନ ମାଡ଼ିଆସୁଛି। ଏହା ୧୯୯୯ମସିହା ବାତ୍ୟାଠାରୁ ଆହୁରି ଭୟଙ୍କର ହେବ ବୋଲି କୁହାଯାଉଛି। ଏନେଇ ମଧ୍ୟ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ଏହି ବାତ୍ୟା ୪ଟି ଜିଲ୍ଲାରେ ତାଣ୍ଡବ ରଚିବ ବୋଲି ଜଣାପଡ଼ିଛି। ସେଥିମଧ୍ୟରୁ ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଅଧିକ ପ୍ରଭାବ ପଡ଼ିବ ବୋଲି ଜଣାପଡ଼ିଛି। ଏଥିପାଇଁ ମଧ୍ୟ ରାଜ୍ୟ ସରକାର ୪ଜଣ ଆଇଏସ୍ ଅଫିସରଙ୍କୁ ଅମ୍ଫାନର ମୁକାବିଲା କରିବା ପାଇଁ ୪ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ବାଲେଶ୍ୱର ଦାୟିତ୍ୱରେ ରହିବେ ପରିବହନ ସଚିବ ମଧୂସୂଦନ ପାଢ଼ୀ, ଭଦ୍ରକ ଦାୟିତ୍ୱରେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ, କେନ୍ଦ୍ରାପଡ଼ା ଦାୟିତ୍ୱରେ ଶିଳ୍ପ ସଚିବ ହେମନ୍ତ ଶର୍ମା ଓ ଜଗତସିଂହପୁର ଜିଲ୍ଲାରେ ଶାଶ୍ୱତ ମିଶ୍ର ଅମ୍ଫାନ ପରିଚାଳନା କରିବେ ବୋଲି ସୂଚନା ମିଳିଛି ।
ମହାବାତ୍ୟା ଅମ୍ଫାନକୁ ନେଇ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଓ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ମହାବାତ୍ୟା ଉପରେ ରାଜ୍ୟ ସରକାର ତୀକ୍ଷଣ ନଜର ରଖିଛନ୍ତି। ଏହାସହ ମହାବାତ୍ୟା ମୁକାବିଲା ପାଇଁ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଉଛି । ଉପକୂଳ ଓଡ଼ିଶାର ୧୨ଜିଲ୍ଲାପାଳଙ୍କ ସହ ସରକାର ସମ୍ପର୍କରେ ଅଛନ୍ତି । ବାତ୍ୟା ମୁକାବିଲା ଅଭିଜ୍ଞତା ଥିବା ଅଧିକାରୀଙ୍କୁ ପ୍ରଭାବିତ ଆଶଙ୍କା ଥିବା ୪ଜିଲ୍ଲାକୁ ପଠାଯାଇଛି। ବାତ୍ୟା ମୁକାବିଲା ପାଇଁ ୪ ଆଇଏଏସଙ୍କୁ ୪ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ଆସନ୍ତାକାଲି ବାତ୍ୟା ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ । ମହାବାତ୍ୟା ମୁକାବିଲାକୁ ସରକାର ଗୁରୁତର ଭାବେ ଗ୍ରହଣ କରିଛନ୍ତ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।
ବାତ୍ୟା ଅମ୍ଫାନ ନେଇ ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି ଯେ, କେନ୍ଦ୍ରୀୟ ବଙ୍ଗୋପସାଗରରେ ଅମ୍ଫାନ ମହାବାତ୍ୟାର ରୂପ ନେଇଛି। ବଙ୍ଗୋପସାଗରରେ ଘଣ୍ଟାକୁ ୪କିଲୋମିଟର ବେଗରେ ଆଗକୁ ବଢ଼ୁଛି ଅମ୍ଫାନ । ୨୦ତାରିଖ ଅପରାହ୍ନରେ ଦୀଘା-ହାତିଆ ମଧ୍ୟରେ ସ୍ଥଳଭାଗ ଛୁଇଁବ । ମହାବାତ୍ୟାର ପ୍ରକୋପରେ ଓଡ଼ିଶାରେ ବର୍ଷା ପ୍ରବଳରୁ ଅତିପ୍ରବଳ ହେବ । ଉପକୂଳ ଓଡ଼ିଶାରେ ୧୧୦ରୁ ୧୨୦ କି.ମି ବେଗରେ ପବନ ବହିବାର ଆଶଙ୍କା ରହିଛି । ପବନରେ ହୋର୍ଡ଼ିଂ ଉଡ଼ିଯାଇ ଧନ ଜୀବନ ହାନିର ଆଶଙ୍କା ରହିଥିବାରୁ ଉପକୂଳ ଓଡ଼ିଶାର ସହରୁ ହୋର୍ଡ଼ିଂ ହଟାଇବା କାମ ଆରମ୍ଭ ହୋଇଛି । ୨୪୫ଟି ଫାଷ୍ଟ ରେସ୍ପନ୍ସ ଟିମ୍ ୧୨ ଜିଲ୍ଲାରେ ନିୟୋଜିତ ହୋଇଛନ୍ତି । ମହାବାତ୍ୟା ପରେ ସ୍ଥିତି ସୁଧାରିବା ପାଇଁ ସବୁ ଟିମ୍ କାମରେ ଲାଗିବେ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି ।