କରୋନା ମହାମାରୀ ସମୟରେ ଗୁଜରାଟକୁ ବାତ୍ୟା ଭୟ, ସତର୍କ ସୂଚନା ଜାରି

ଅହମ୍ମଦାବାଦ,ଏଜେନ୍ସି: କରୋନା ଭାଇରସ ମହାମାରୀ ମଧ୍ୟରେ ଗୁଜରାଟରେ ସାମୁଦ୍ରିକ ଝଡ଼ର ସଂକେତ ମିଳିଛି। ଏହି ବାତ୍ୟା ବହୁ କ୍ଷୟକ୍ଷତି ଘଟାଇପାରେ। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଏହି ବାତ୍ୟା ପଶ୍ଚିମ ଉପକୂଳରେ ଆସନ୍ତା ୧୭ ଓ ୧୮ ତାରିଖରେ ପହଞ୍ଚିପାରେ। ମାତ୍ର ଏହି ଝଡ଼ ପାକିସ୍ତାନର କରାଚୀ ଉପକୂଳରେ ପହଞ୍ଚିବାର ଆଶଙ୍କା ଦେଖାଯାଇଛି। କିନ୍ତୁ ଗୁଜରାଟର ସମୁଦ୍ର ତଟକୁ ବାତ୍ୟା ପ୍ରଭାବିତ କରିବାର ଆଶଙ୍କା ରହିଛି।

ଚଳିତ ବର୍ଷର ଏହା ପ୍ରଥମ ବାତ୍ୟା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହାର ନାମ ତୌକାତେ। ଏଥର ବାତ୍ୟାର ନାମ ମିଆଁମାର ତରଫରୁ ରଖାଯାଇଛି। ଏହାର ଅର୍ଥ ଅତ୍ୟଧିକ ଶବ୍ଦ କରୁଥିବା ଝିଟିପିଟି। ସୂଚନାଯୋଗ୍ୟ, ଭାରତ ମହାସାଗର ଅଞ୍ଚଳରେ ୮ଟି ଦେଶ ଭାରତର ପ୍ରଥମ ସାମୁଦ୍ରିକ ଝଡ଼କୁ ନାମ ଦେବାର ବ୍ୟବସ୍ଥା ଆରମ୍ଭ କରିଥିଲା। ଏହି ଦେଶ ମଧ୍ୟରେ ଭାରତ ବ୍ୟତୀତ ବାଂଲାଦେଶ, ପାକିସ୍ତାନ, ମିଆଁମାର, ମାଳଦୀପ, ଶ୍ରୀଲଙ୍କା, ଓମାନ ଓ ଥାଇଲାଣ୍ଡ ଅଛି।

ଗୁଜରାଟରେ ବାତ୍ୟା ଆସିବାର ଆଶଙ୍କା ନେଇ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ପରେ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କୁ ସତର୍କ ସୂଚନା ଦିଆଯାଇଛି। ଜରୁରୀକାଳୀନ ବ୍ୟବସ୍ଥା ମହଜୁଦ ରଖିବା ପାଇଁ ପରାମର୍ଶ ଦିଆଯାଇଛି। ଅଧିକାରୀଙ୍କ ଅନୁମାନ ଅନୁସାର ପୂର୍ବ-ମଧ୍ୟ ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟାରେ ସୌରାଷ୍ଟ୍ର ଏବଂ ଦକ୍ଷିଣାଞ୍ଚଳ ସମେତ ଗୁଜରାଟର ଉପକୂଳ ଅଞ୍ଚଳ ପ୍ରଭାବିତ ହୋଇପାରେ।