ଟ୍ରକ ଧକ୍କାରେ ସାଇକେଲ ଆରୋହୀ ଗୁରୁତର

ଦେବଗଡ,ଏନ୍ଏନ୍ଏସ୍: ଦେବଗଡ଼ ଥାନା ଅନ୍ତର୍ଗତ କୁରେଇଁ ବାହାଲ ଛକ ନିକଟରେ ଏକ ଟ୍ରକ ଧକ୍କାରେ ସାଇକେଲ ଆରୋହୀ ଗୁରୁତର ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଦେବଗଡ଼ ଥାନା ଅନ୍ତର୍ଗତ ପୁଡାପଡା ଗ୍ରାମର ଧୁବାମୁଣ୍ଡା (୫୫) ନାମକ ଜଣେ ବ୍ୟକ୍ତି ସକାଳ ପ୍ରାୟ ୯ଟା ସମୟରେ କୁରେଇଁ ବାହାଲ ସ୍ଥିତ ତାଙ୍କ ସମୁଦି ଘରୁ ସାଇକେଲ ଯୋଗେ ନିଜ ଗ୍ରାମ ପୁଡାପଡାକୁ ଫେରୁଥିଲେ।

କୁରେଇଁ ବାହାଲ ଛକ ନିକଟରେ ସମ୍ମୁଖ ଭାଗରୁ ଆସୁଥିବା ଏକ ମାଲ ବୋଝେଇ ଟ୍ରକ(ଓଡି-୧୫ଏମ-୨୭୫୮) ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସାଇକେଲ ଆରୋହୀ ରାସ୍ତାକୁ ଛିଟକି ପଡି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେ ଏବେ ମଧ୍ୟ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।