ଟାଟା ଏସି ଗାଡ଼ି ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ଅନ୍ତର୍ଗତ କଣ୍ଢଳ ଗ୍ରାମଠାରେ ଆଜି ପୂର୍ବାହ୍ନରେ ଏକ ଟାଟା ଏସି ଗାଡ଼ି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିିଛି। ପୁଲିସ ସୂତ୍ରରୁ ମିଳିଥିବା ରିପୋର୍ଟ ମୁତାବିକ, ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ କଣ୍ଢଳ ଗ୍ରାମର ରବିନ୍ଦ୍ର ସାହୁଙ୍କ ପୁଅ ପ୍ରମୋଦ କୁମାର ସାହୁ (୪୫) କଣ୍ଢଳ ସ୍ୱାସ୍ଥ୍ୟକେନ୍ଦ୍ରରୁ ଏକ ସାଇକେଲ ଯୋଗେ ନିଜ ଘରକୁ ଫେରୁଥିବା ବେଳେ ସେଣ୍ଟ୍ରାଲ ବ୍ୟାଙ୍କ ସମ୍ମୁଖ ୪୯ନଂ ଜାତୀୟ ରାଜପଥ ରେବାରକୋଟ ପଟୁ ଦେବଗଡ଼ ଅଭିମୁଖେ ଆସୁଥିବା ଏକ ଟାଟା ଏସି ଗାଡ଼ି ପ୍ରମୋଦଙ୍କୁ ଧକ୍କା ଦେଇଥିଲା। ଫଳରେ ପ୍ରମୋଦ ରାସ୍ତା ଉପରକୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଗୁରୁତର ପ୍ରମୋଦକୁ ଉଦ୍ଧାର କରି ଚିକିତ୍ସା ପାଇଁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ପ୍ରମୋଦଙ୍କ ମୃତ୍ୟୁ ଘଟିଥିଲା। ଡାକ୍ତରଖାନା କର୍ତୃପକ୍ଷଙ୍କଠାରୁ ସୂଚନା ପାଇ ଦେବଗଡ଼ ଥାନା ପୁଲିସ ମୃତଦେହ ଜବତ କରିବା ସହ ଏକ ମାମଲା ରୁଜୁ କରି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଓ ସାଇକେଲକୁ ଜବତ କରିଥିବାବେଳେ ଗାଡ଼ି ଚାଳକ ଫେରାର ହୋଇଥିବା ଜଣାପଡ଼ିଛି। ଅନ୍ୟପଟେ ମୃତଦେହ ବ୍ୟବେଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।