ଅଜଣା ଗାଡ଼ି ଧକ୍କାରେ ସାଇକେଲ ଆରୋହୀ ମୃତ

ଝାରସୁଗୁଡ଼ା: ଝାରସୁଗୁଡ଼ା ସହର ଉପକଣ୍ଠ ସୁନାରୀମୁଣ୍ଡା ନିକଟରେ ଜଣେ ସାଇକେଲ ଆରୋହୀଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ଭାଗିପାଲି ଗ୍ରାମର ଚନ୍ଦ୍ରଶେଖର ସେଠ(୭୦) ବୋଲି ଜଣାପଡ଼ିଛି। ଚନ୍ଦ୍ରଶେଖର ସାଇକେଲରେ ଯାଉଥିବା ବେଳେ ଏକ ଅଜଣା ଗାଡ଼ି ଧକ୍କା ଦେବା ଫଳରେ ସେ ଗୁରୁତର ଭାବେ ଆହତ ହୋଇ ରାସ୍ତା ଉପରେ ପଡ଼ି ଯାଇଥିଲେ। ଏନେଇ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ହେଲେ ସେଠାରେ ଚନ୍ଦ୍ରଶେଖରକୁ ଡାକ୍ତର ମୃତ ଘୋଷଣା କରିଥିଲେ। ପରେ ଝାରସୁଗୁଡ଼ା ପୁଲିସ ଚନ୍ଦ୍ରଶେଖରଙ୍କ ମୃତଦେହ ବ୍ୟବଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଦ୍ରୁତ ଗତିରେ ଆସୁଥିବା କୌଣସି କମ୍ପାନୀ ବସ ଚନ୍ଦ୍ରଶେଖରକୁ ଧକ୍କା ଦେଇ ଫେରାର ହୋଇ ଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି।