ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ରାଜଧାନୀରେ ଆୟୋଜିତ ‘ସାଇକେଲ ଫର ଚେଞ୍ଜ’ ଅଭିଯାନଟି ସହରରେ ଗର୍ଜନ ଆରମ୍ଭ କରିଛି। ତେବେ ଏହି କାର୍ଯ୍ୟକ୍ରମଟି ସାଇକ୍ଲୋଥନ ଅର୍ଗାନାଇଜେସନର ଏକ ଅଂଶ ହୋଇଥିବା ବେଳେ ଏଥିରେ ବିଭିନ୍ନ ବର୍ଗର ଲୋକମାନେ ଅଂଶ ଗ୍ରହଣ କରିଛନ୍ତି। ଲୋକମାନେ କିପରି ସୁସ୍ଥ ଜୀବନ ଯାପନ କରିବେ ତାକୁ ଲକ୍ଷ କରି ଏହି ଅଭିଯାନ ଆରମ୍ଭ କରାଯାଇଛି।
ସାଇକ୍ଲୋଥନର ସୂଚନା ଅନୁସାରେ ଏହି କାର୍ଯ୍ୟକ୍ରମରେ ୫୦୦ରୁ ଅଧିକ ଲୋକ ଭାଗ ନେଇଥିଲେ। ଯେଉଁଥିରେ ଅନେକ ପ୍ରଫେସନାଲ ସାଇକେଲ ଆରୋହୀ ଥିଲେ। ଏହି ସାଇକେଲ ରାଲି କାର୍ଯ୍ୟକ୍ରମ ଭୁବନେଶ୍ୱରର ଏକାମ୍ର ପ୍ଲାଜାରୁ ଆରମ୍ଭ ହୋଇ ଧଉଳି ଶାନ୍ତିସ୍ତୂପ ପର୍ଯ୍ୟନ୍ତ ପାଖାପାଖି ୧୨ କିଲୋମିଟର ଆୟୋଜନ ହୋଇଥିଲା। ଏଥିରେ ଅଂଶଗ୍ରହଣ କରିଥିବା ସାଇକେଲ ଆରୋହୀ ମାନଙ୍କୁ ଟି-ସାର୍ଟ ଓ କ୍ୟାପ ଦିଆଯାଇଥିଲା।
ଏହି ପର୍ଯ୍ୟାୟରେ କାର୍ଯ୍ୟକ୍ରମକୁ ‘ସାଇକେଲଗିରି’ ନାମକରଣ କରାଯାଇଥିଲା। ଏହାକୁ ବିଏମସି କମିସନର ତଥା ମୁଖ୍ୟ ନିର୍ବାହୀ ଅଧିକାରୀ ପ୍ରେମ ଚନ୍ଦ୍ର ଚୌଧୁରୀ ଉଦଘାଟନ କରିଥିଲେ। ସେହିପରି ଆଗାମୀ ଦିନରେ ସହରରେ ସାଇକେଲ ଚଳାଇବାକୁ ସମସ୍ତ ଅଂଶଗ୍ରହଣକାରୀ ଓ ଅଧିକାରୀମାନେ ପ୍ରତିଶ୍ରୁତି କରିଥିଲେ।