ଧରାପଡ଼ିଲା ସାଇବର ଠକ ଗ୍ୟାଙ୍ଗ: ୩ ଗିରଫ

ଝାରସୁଗଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ପୁଲିସ ପୁଣି ଏକ ସାଇବର ଠକ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ଏହି ଗ୍ୟାଙ୍ଗର ୩ ଜଣଙ୍କୁ ପୁଲିସ ସୁନ୍ଦରଗଡ଼ ଜିଲ୍ଲା ଲେଫରିପଡ଼ା ଥାନା ଅଂଚଳରୁ ଗତକାଲି ରାତିରେ ଗିରଫ କରିଥିବାବେଳେ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି। ସେମାନଙ୍କଠାରୁ ୯ଟି ମୋବାଇଲ ଫୋନ, ଏକ ସୋନି ସାଉଣ୍ଡ ସିଷ୍ଟମ, ୧୧ହଜାର ନଗଦ ଟଙ୍କା ଓ ଅନ୍ୟ ଜିନିଷପତ୍ର ଜବତ କରିଛି। ଗିରଫ ଅଭିଯୁକ୍ତମାନେ ଝାଡ଼ଖଣ୍ଡ ଗିରିଡ଼ି ଅଞ୍ଚଳର ଗୁଡ୍ଡୁଲାଲ ରାଣା(୨୬), ପପ୍ପୁ ରାଣା(୩୨), ଗୋପାଲ ରାଣା(୩୪) ଓ ଫେରାର ଅଭିଯୁକ୍ତ ଜଣକ ବିର୍ଜୁ ରାଣା ବୋଲି ଝାରସୁଗୁଡ଼ା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିକାଶ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି।

ମିଳିଥିବା ରିପୋର୍ଟ ମୁତାବିକ, ବେଲାପାହଡ଼ ଗାନ୍ଧିନଗରରେ ରହୁଥିବା ଜଣେ ରେଳବାଇ କର୍ମଚାରୀ ଶିବାଷିିସ କର୍ମାକରଙ୍କ ନିକଟକୁ ଏହି ଠକମାନେ ଗତ ମାର୍ଚ୍ଚ ୨୨ରେ ଫୋନ କରି ଆପଣ ଫୋନ ପେରେ ୧୯ଶହ ଟଙ୍କାର ଲଟେରୀ ଜିତିଛନ୍ତି ବୋଲି କିହିଥିଲେ। ପରେ ଏକ ଲିଙ୍କ ପଠାଇ ସେଠାରେ କ୍ଲିକ କରିବା ପାଇଁ କହିଥିଲେ। ଶିବାଷିିସ ଲିଙ୍କରେ କ୍ଲିକ କରିବା କ୍ଷଣି ତାଙ୍କ ଆକାଉଣ୍ଟରୁ ୧୯ଶହ ଟଙ୍କା ଓ କିଛି ସମୟ ପରେ ୩୬ ହଜାର ଟଙ୍କା କଟି ଯାଇଥିଲା। ଏହି ଟଙ୍କା ପୁଣି ଆକାଉଣ୍ଟକୁ ଫେରସ୍ତ ନହେବାରୁ ଶିବାଷିସ ଗତ ୨୪ ତାରିଖ ବେଲପାହାଡ଼ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ବେଲାପାହାଡ଼ ପୁଲିସ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଫ୍ଲିପକାର୍ଟ, ପେୟୁ, ପରି ବିଭିନ୍ନ ସୂତ୍ରରୁ ଠକମାନଙ୍କ ବିଷୟରେ ଜାଣିବା ପରେ ସିଡିଆର ଏନାଲିସିସ କରି ତାଙ୍କ ଲୋକେସନ ଯାଞ୍ଚ କରିଥିଲେ। ଗତକାଲି ରାତିରେ ସୁନ୍ଦରଗଡ଼ ଲେଫରିପଡ଼ାରେ ଚଢ଼ଉ କରି ଠକଙ୍କୁ ଗିରଫ କରିଥିଲା। ଠକଙ୍କୁ ପଚରାଉଚୁରା ସମୟରେ ସେମାନେ ଏହି ସାଇବର ଠକେଇ ଯାମାତ୍ରାରୁ ଶିଖିଥିବା ପୁଲିସକୁ କହିଛନ୍ତି। ପ୍ରଥମେ ଏହି ଠକମାନେ ଗୁଗୁଲ କ୍ରୋମରେ ବିଭିନ୍ନ ରାଜ୍ୟର ଭିନ୍ନ ଭିନ୍ନ ଟେଲିକମ ସର୍ଭିସ ଉପଭୋକ୍ତାଙ୍କର ନମ୍ବର ଖୋଜି ଥାଆନ୍ତି। ମୋବାଇଲ ନମ୍ବର ପାଇବା ପରେ ସେମାନେ ସେହି ନମ୍ବରକୁ ଫୋନ କରି ଲଟେରୀ ଜିତିଛନ୍ତି କିମ୍ବା କୌଣସି ଅଫର ପାଇଛନ୍ତି କହି ନିଜ ଜାଲରେ ଫସାଇବା ସହ ଫୋନ ପେକୁ ଏକ ଲିଙ୍କ ପଠାଇ ସେଠାରେ କ୍ଲିକ କରିବା ପାଇଁ କହିଥାଆନ୍ତି। ଆଉ ନିରୀହ ଲୋକେ ଲଟେରୀ ଅବା ଅଫର ଲୋଭରେ ସେହି ଲିଙ୍କକୁ କ୍ଲିକ କଲାମାତ୍ରେ ସାଇବର ଠକମାନେ ତାଙ୍କ ଆକାଉଣ୍ଟରୁ ଟଙ୍କା ଲୁଟି ନିଅନ୍ତି ବୋଲି ଧରା ପଡ଼ିଥିବା ଏହି ଠକମାନେ ପୁଲିସ ନିକଟରେ ପ୍ରକାଶ କରିଛନ୍ତି।