ଟିଟିଲାଗଡ଼,ଏନ୍ଏନ୍ଏସ୍: ଟିଟିଲାଗଡ଼ ଅଞ୍ଚଳରେ ସାଇବର କ୍ରାଇମ ମୁଣ୍ଡ ବ୍ୟଥାର କାରଣ ପାଲିଟିଛି । ଟିଟିଲାଗଡ଼ ଅଞ୍ଚଳରେ ମଳିମୁଣ୍ଡିଆଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ପର୍ଯ୍ୟନ୍ତ ସମସ୍ତେ ସାଇବର କ୍ରାଇମର ଶିକାର ହୋଇ ନିଜ କଷ୍ଟୋପାର୍ଜିତ ଧନ ହରାଉଛନ୍ତି । ଏହି ପରିପ୍ରେକ୍ଷୀରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ଟିଟିଲାଗଡ଼ ପୁଲିସ ପକ୍ଷରୁ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଛି । ଆସନ୍ତା ୨ଦିନ ଧରି ରଥଟି ସହର ସମେତ ଆଖପାଖ ପଞ୍ଚାୟତକୁ ଗସ୍ତ କରି ଲୋକଙ୍କୁ ଅବାନ୍ତର କଲ, କେୱାଇସି ନବୀକରଣ, ଏଟିଏମ ପିନ ସୁଧାରିବା, ବ୍ୟାଙ୍କ ଖାତାରେ ଲେଣଦେଣ ନେଇ ସମସ୍ୟା ଆଦି କହି ଅଜଣା ନମ୍ବରରୁ ଆସୁଥିବା ଫୋନ କଲକୁ ଏଡ଼ାଇବା ନେଇ ବ୍ୟାପକ ସଚେତନ କରାଯିବ । ଉକ୍ତ କାର୍ଯ୍ୟକ୍ରମରେ ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାର ମୁଖ୍ୟଅତିଥି ଭାବେ ଯୋଗଦେଇ ପତକା ଦେଖାଇ ରଥର ଶୁଭାରମ୍ଭ କରିଥିଲେ । ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ପରିଚାଳକ ସୁଶାନ୍ତ ବେହେରାଙ୍କ ସମେତ ବ୍ୟାଙ୍କ ଅଧିକାରୀ କର୍ମଚାରୀ, ସବଇନ୍ସପେକ୍ଟର ନରେନ୍ଦ୍ର ଛତ୍ରଙ୍କ ସହ ସ୍ଥାନୀୟ ପୁଲିସ ବଳ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହାସହ ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଣ କରି ଯାଉଥିବା ଲୋକ ଲୁଟର ଶିକାର ହେଉଥିବା ନେଇ ପୁଲିସ ପକ୍ଷରୁ ବାରମ୍ବାର ସଚେତନ କରାଯିବା ସହ ବ୍ୟାଙ୍କ ସମ୍ମୁଖରେ ପୁଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଏସଡିପିଓ ଶ୍ରୀମତି କୁମ୍ଭାର ସୂଚନା ଦେଇଛନ୍ତି ।