ଚାଲିଛି ବେଧଡ଼କ ଶାଳ ଗଛ କଟା, ଘୋର ନିଦରେ ଶୋଇଛନ୍ତି ବନବିଭାଗ କର୍ମଚାରୀ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହରପଡା ସେକ୍ସନ ମାଛଗଡ଼ ବିଟ୍ ଅଧୀନ ଖଡିକାପଦା ପଞ୍ଚାୟତ ଖଡ଼ିବେଡା ଗ୍ରାମର ଖମାର ହୁଡ଼ିରେ ଚାଲିଛି ବେଧଡ଼କ ଶାଳ ଗଛକଟା। କରତ ସାହାଯ୍ୟରେ ଗଛ ଗୁଡ଼ିକର ଗଣ୍ଡି ଚିରା ଚାଲିଛି। ଉକ୍ତ ହୁଡିରୁ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ମୂଲ୍ୟବାନ ଶାଳ ଗଛ କଟାଯାଇଥିବା ଜଣାପଡ଼ିଛି। ତେବେ କଟାଯାଇଥିବା ଏହି ଗଛର ଆନୁମାନିକ ମୂଲ୍ୟ ପାଖାପାଖି ଏକ ଲକ୍ଷରୁ ଊର୍ଦ୍ଧ୍ୱ ହେବବୋଲି ଅନୁମାନ କରାଯାଉଛି।

ଦିନ ଦିପ୍ରହରରେ ମାଫିଆମାନେ କିପରି ନିର୍ଭୟରେ ଏତେ ମାତ୍ରାରେ ଗଛ କାଟିବା ସହ ପଟା ଚିରି ଚୋରା ଚାଲାଣ କରିପାରୁଛନ୍ତି ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଥି ସହିତ ବନବିଭାଗର କର୍ମଚାରୀଙ୍କ କାର୍ଯ୍ୟ ଦକ୍ଷତା ଉପରେ ଆଙ୍ଗୁଳି ଉଠିଛି। ଏସମ୍ପର୍କରେ ସାହାରପଡା ବନପାଳଙ୍କୁ ଅବଗତ କରି ମତାମତ ନେବାରୁ ଗଛ କଟା ସମ୍ପର୍କରେ କିଛି ଜାଣି ନଥିବା କହିଛନ୍ତି। ସେପଟେ ଆମ ପ୍ରତିନିଧିଙ୍କ ଠାରୁ ଗଛ କଟା ସମ୍ପର୍କରେ ଜାଣିବା ପରେ ଘଟଣାସ୍ଥଳରେ ବନପାଳ ସୁନିତା ବାଘେଲ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।