ଏନକାଉଣ୍ଟରରେ ଟିଟୋ ଗ୍ୟାଙ୍ଗର ଜଣେ ସଦସ୍ୟ ଆହତ

କଟକ,ଏନ୍ଏନ୍ଏସ୍: ଗତକାଲି ବିଳମ୍ବିତ ରାତ୍ରିରେ ପୁଲିସ ଗୁଳିରେ ଗ୍ୟାଙ୍ଗଷ୍ଟର ଟିଟୋ ଗ୍ୟାଙ୍ଗର ଜଣେ ସଦସ୍ୟ ଗୁରୁତର ଆହତ ହୋଇଥିବାବେଳେ ତା’କୁ ଚିକିତ୍ସା ନିମନ୍ତେ କଟକ ଏସସିବିରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ ଗତକାଲି ହଠାତ୍‌ ସିଡ଼ିଏ ସେକ୍ଟର- ଏ ଅଞ୍ଚଳରେ କେତେକ ଅପରାଧୀ ଡକାୟତି ଯୋଜନା କରୁଥିବାବେଳେ ଚାଉଳିଆଗଞ୍ଜ ଥାନା ପୁଲିସ ଓ କମିସନରେଟ ପୁଲିସର ଏକ ସ୍ୱତନ୍ତ୍ର ସ୍କାର୍ଡ ମିଳିତ ଭାବେ ଚଢ଼ଉ କରିଥିଲେ। ପୁଲିସକୁ ଦେଖି ଦୁର୍ଦ୍ଦାନ୍ତ ଅପରାଧୀ ବୁଦ୍ଧିଆ ପ୍ରଥମେ ଗୁଳି ଚାଳନା କରିଥିଲା। ପରେ ପୁଲିସ ମଧ୍ୟ ପାଲଟା ଜବାବରେ ଗୁଳି ଚଳାଇଥିଲା। ଏଥିରେ ବୁଦ୍ଧିଆ ଗୋଡରେ ଗୁଳି ଲାଗିଥିଲା। ପରେ ତା’କୁ ଚିକିତ୍ସା ନିମନ୍ତେ କଟକ ଏସସିବିରେ ଭର୍ତ୍ତି କରାଯାଇଛି।

ତା ନିକଟରୁ ଗୋଟିଏ ପିସ୍ତଲ ଓ ଦୁଇଟି ଗୁଳି ଜବତ ହୋଇଛି। ସେହିପରି ପୂର୍ବରୁ ବୁଦ୍ଧିଆ ନାଁ’ରେ କେନ୍ଦ୍ରାପଡ଼ାର  ବିଭିନ୍ନ ଥାନରେ ୩୦ରୁ ଅଧିକ ମାମଲା ରହିଥିବା ପୁଲିସ ସୂଚନା ଦେଇଛି। ବୁଦ୍ଧିଆ ସହିତ ଥିବା ଅନ୍ୟ ଅପରାଧୀମାନଙ୍କୁ ଗିରଫ କରିବାକୁ କମିସନରେଟ ପୁଲିସ ପକ୍ଷରୁ ଚଢ଼ଉ ଜାରି ରହିଛି।