ଭୁବନେଶ୍ୱର,ଏନ୍ଏନ୍ଏସ୍: କଟକ ଜିଲ୍ଲାରେ ଆର୍ଟି-ପିସିଆର, ଟ୍ରୁନାଟ୍ ରାପିଡ ଆଣ୍ଟିଜେନ୍ ଟେଷ୍ଟିଂ ବ୍ୟବସ୍ଥାରେ ୪୪ହଜାର ୫୯୬ ନମୁନା ପରୀକ୍ଷା କରାଯାଇଛି। ତନ୍ମଧ୍ୟରୁ ୨୯୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଗ୍ରାମାଞ୍ଚଳରେ ପଜିଟିଭ୍ ସଂଖ୍ୟା ୧୩୬୪ ଥିବାବେଳେ ସହରାଞ୍ଚଳରେ ୧୫୪୬ ରହିଛି। ସେଥିମଧ୍ୟରୁ ୯୮୯ ଚିକିତ୍ସିତ ହେଉଛନ୍ତି। ଜିଲ୍ଲାର ସୁସ୍ଥ ହାର ୬୬.୦୩ ପ୍ରତିଶତ ରହିଛି। ଜିଲ୍ଲାର ନରସିଂହପୁର, ବଡ଼ମ୍ବା ଓ ଆଠଗଡ଼ ବ୍ଲକରୁ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, କଟକ ଏସସିବି ମେଡିକାଲ କଲେଜରେ ୬୯ ପ୍ଲାଜମାଦାତାଙ୍କଠାରୁ ୧୩୮ୟୁନିଟପ୍ଲାଜମା ସଂଗୃହୀତ ହୋଇଥିଲା । ତନ୍ମଧ୍ୟରୁ ୧୦୪ ୟୁନିଟ ପ୍ଲାଜମାର ବ୍ୟବହାର କ୍ରମେ ଗୁରୁତର କୋଭିଡ ରୋଗୀ ଚିକିତ୍ସିତ ହେଉଛନ୍ତି। ଜିଲ୍ଲାରେ ପ୍ଲାଜମା ଦାନକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ସଚେତନତା କାର୍ଯ୍ୟକ୍ରମ ଅବ୍ୟାହତ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କ୍ରମେ ଓଡ଼ିଶାକୁ ଫେରି ଆନୁଷ୍ଠାନିକ କ୍ୱାରାଣ୍ଟାଇନ ଶେଷ କରିଥିବା ପ୍ରବାସୀଙ୍କୁ ୨ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ଏ ବାବଦରେ ୧୧୯ କୋଟି ୧୦ ଲକ୍ଷ ୯୯ ହଜାର ଟଙ୍କା ପ୍ରଦାନ କରାଯାଇ ସାରିଛି। ଏହି ସମସ୍ତ ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଭରଣା କରାଯାଉଛି। କୋଭିଡ୍-୧୯ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ କ୍ୱାରାଣ୍ଟାଇନ୍ ସ୍ୱାସ୍ଥ୍ୟସେବାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୬୭୯୮ ଗ୍ରାମ ପଞ୍ଚାୟତରେ ୬,୭୯୮ଟି କୋଭିଡ୍ କେୟାର ହୋମ୍ ସ୍ଥାପିତ ହୋଇଛି । ଏଥିରେ ମୋଟ ୬୭,୮୮୮ ଶଯ୍ୟାର ବ୍ୟବସ୍ଥା କରାଯାଇଛି। ଅନୁରୂପ ଭାବରେ ରାଜ୍ୟରେ ୧୫୦୨ଟି କ୍ଲଷ୍ଟରସ୍ତରୀୟ ଅସ୍ଥାୟୀ ଚିକିତ୍ସିା କେନ୍ଦ୍ର କାର୍ଯ୍ୟ କରୁଛି। ଏଗୁଡ଼ିକରେ ୭୨,୫୦୫ ଶଯ୍ୟା ଉପଲବ୍ଧ ରହିଛି।