ସ୍ୱାୟତ୍ତ ଶାସନ ଅବସରରେ ୩ କୋଟିର ପ୍ରକଳ୍ପ ଉଦ୍ଘାଟନ ଓ ୧୪କୋଟିର ଶିଳାନ୍ୟାସ

କଟକ,୨୯ା୮/ଏନ୍ଏନ୍ଏସ୍: କଟକ ମହାନଗର ନିଗମ ପକ୍ଷରୁ ଆସନ୍ତା ୩୧ରେ ସ୍ୱାୟତ୍ତଶାସନ ଦିବସ ପରିପ୍ରେକ୍ଷୀରେ ସହରବାସୀଙ୍କୁ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଭେଟିଦେବାକୁ ନିଷ୍ପତ୍ତି ନେଇଛି ସିଏମ୍ସି। ଚଳିତ ବର୍ଷ ସହରରେ ନିର୍ମାଣ ହୋଇଥିବା ପ୍ରାୟ ୩ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ ହେବାର କାର୍ଯ୍ୟକ୍ରମ ରହିଥିବାବେଳେ ୧୪କୋଟି ଟଙ୍କା ବ୍ୟୟ ଅଟକଳରେ ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ବୋଲି ସିଏମସି କମିଶନର ଅନନ୍ୟା ଦାସ ସୂଚନା ଦେଇଛନ୍ତି।
କମିଶନରଙ୍କ ସୂଚନା ଅନୁଯାୟୀ, ଚଳିତ ବର୍ଷ ସ୍ୱାୟତ୍ତଶାସନ ଅବସରରେ ବାରବାଟୀ-କଟକ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ୭ଟି ପ୍ରକଳ୍ପ, ଚୌଦ୍ୱାର-କଟକ ନିର୍ବାଚନମଣ୍ଡଳୀ ପାଇଁ ୧୧ଟି ପ୍ରକଳ୍ପ ଓ କଟକ ସଦର ବିଧାନସଭା ନିର୍ବାଚନମଣ୍ଡଳୀରେ ୩ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ ହେବ। ସେହିପରି ବାରବାଟୀ କଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୨୧ନମ୍ବର ୱାର୍ଡ଼ର ରମାଦେବୀ ପାର୍କ ୩୪.୮୭ ଲକ୍ଷ ଟଙ୍କାର ପ୍ରକଳ୍ପ, ୩୫.୮୧ଲକ୍ଷ ଟଙ୍କା ବ୍ୟୟରେ ୨୬ ନମ୍ବର ୱାର୍ଡ଼ରେ ସାରଙ୍ଗଧର ପାର୍କ, ୨୪.୭୦ଲକ୍ଷ ଟଙ୍କା ବ୍ୟୟରେ ୧୧ନମ୍ବର ୱାର୍ଡ଼ ଶିଶୁ ଭବନ ପାର୍କକୁ ଉଦ୍ଘାଟନ କରାଯିବ। ୨୦୨.୫୩ଲକ୍ଷ ଟଙ୍କା ବ୍ୟୟରେ ୯ ନମ୍ବର ୱାର୍ଡ଼ର ସେଲଟର ଛକ ଦ୍ୱାରିକା ପୋଖରୀ ପୁନରୁଦ୍ଧାର, ୨୧ନମ୍ବର ୱାର୍ଡ଼ରେ ୭୮.୩୦ଲକ୍ଷ ଟଙ୍କା ବ୍ୟୟରେ ମାଇକ୍ରୋ କମ୍ପୋଷ୍ଟିଙ୍ଗ ସେଣ୍ଟର, ୬ନମ୍ବର ୱାର୍ଡ଼ରେ ୪.୪୫ଲକ୍ଷ ଟଙ୍କା ବ୍ୟୟରେ ପେଟାଳ ଭେଣ୍ଡିଂ ଜୋନ, ୫.୦୧ଲକ୍ଷ ଟଙ୍କା ବ୍ୟୟରେ ୧୬ନମ୍ବର ୱାର୍ଡ଼ରେ କ୍ୟାଣ୍ଟନମେଣ୍ଟ ଥାନା ପଛରେ ଭେଣ୍ଡିଂ ଜୋନ ପାଇଁ ଶିଳାନ୍ୟାସ ହେବ। ସେହିଭଳି ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୫୩ ନମ୍ବର ୱାର୍ଡ଼ରେ ୨୪.୮୦ଲକ୍ଷ ଟଙ୍କା ବ୍ୟୟରେ ଅନ୍ଦରପୁର ପାର୍କ, ୪୯ ନମ୍ବର ୱାର୍ଡ଼ ଜଗତପୁର ଠାରେ ୪୦ଲକ୍ଷ ଟଙ୍କା ବ୍ୟୟରେ ଏସୟୁଏଚ, ୩୯ନମ୍ବର ୱାର୍ଡ଼ରେ ୫.୫୪ଲକ୍ଷ ଟଙ୍କା ବ୍ୟୟରେ ଅଙ୍ଗନ ୱାଡ଼ି ସେଣ୍ଟର, ୪୮ନମ୍ବର ୱାର୍ଡ଼ରେ ୩୭.୨୭ଲକ୍ଷ ଟଙ୍କା ବ୍ୟୟରେ ଜଗତପୁର ନିମପୁର ଶବର ସାହିଠାରେ ପ୍ରୋଜେକ୍ଟ ସମ୍ମାନ ଶୌଚାଳୟ, ୩୩ନମ୍ବର ୱାର୍ଡ଼ ଥୋରିଆସାହିଠାରେ ୭୫ଲକ୍ଷ ଟଙ୍କା ବ୍ୟୟରେ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଉଦ୍ଘାଟନ ହେବାର କାର୍ଯ୍ୟକ୍ରମ ରହିଛି। ୪୯ ନମ୍ବର ୱାର୍ଡ଼ରେ ୨୮୧.୮୭ଲକ୍ଷ ଟଙ୍କା ବ୍ୟୟରେ ଜଗତପୁର ମାଧବାନନ୍ଦ ପୋଖରୀ ଓ ୨୯୮.୮୭ଟଙ୍କା ବ୍ୟୟରେ ନିମପୁର ପୋଖରୀ ପୁନରୁଦ୍ଧାର ହେବ। ସେହିଭଳି ୪୪ ନମ୍ବର ୱାର୍ଡ଼ରେ ସେଣ୍ଟ୍ରାଲ ନର୍ସରୀଠାରେ ୭୮.୩୦ଲକ୍ଷ ଟଙ୍କା ବ୍ୟୟରେ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର, ୩୮ ନମ୍ବର ୱାର୍ଡ଼ ପିଲିଗ୍ରୀମ ରୋଡ଼ଠାରେ ୨୫.୨୬ଲକ୍ଷ ଟଙ୍କା ବ୍ୟୟରେ କମ୍ୟୁନିଟି ଶୌଚାଳୟ, ୪୨ନମ୍ବର ୱାର୍ଡ଼ ଓଏମପି ସ୍କୋୟାରଠାରେ ୨୫.୮୩ ଲକ୍ଷ ଟଙ୍କା ବ୍ୟୟରେ ଓ ୪୨ନମ୍ବର ୱାର୍ଡ଼ ନୂଆବଜାରଠାରେ ୨୫.୮୩ଲକ୍ଷ ଟଙ୍କା ବ୍ୟୟରେ କମ୍ୟୁନିଟି ଶୌଚାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହେବ। ପୁନଶ୍ଚ କଟକ ସଦର ବିଧାନସଭା ଅଞ୍ଚଳରେ କେବଳ ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଛି। ସିଏମସି ୫୬ ନମ୍ବର ୱାର୍ଡ଼ରେ ୧୬୮.୬୮ଲକ୍ଷ ଟଙ୍କା ବ୍ୟୟରେ ଧୋବିତୁଠ ପୋଖରୀର ପୁନରୁଦ୍ଧାର, ୫୯ ନମ୍ବର ୱାର୍ଡ଼ରେ ୧୯୫.୪୩ଲକ୍ଷ ଟଙ୍କା ବ୍ୟୟରେ କାଚରାମାଳ ବନ୍ଧଛଡ଼ା ପୋଖରୀ ପୁନରୁଦ୍ଧାର, ୫୦ ନମ୍ବର ୱାର୍ଡ଼ ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ୭.୬୬ଲକ୍ଷ ଟଙ୍କା ବ୍ୟୟରେ ଏକ ଭେଣ୍ଡିଂ ଜୋନ ନିର୍ମାଣ ପାଇଁ ଶିଳାନ୍ୟାସ କରାଯିବ। ମୋଟ ୧୬୩୮.୬୯ଲକ୍ଷ ଟଙ୍କାର ପ୍ରକଳ୍ପ ସିଏମସି ସହରବାସୀଙ୍କୁ ଭେଟି ଦେବ ବୋଲି ଜଣାପଡ଼ିଛି। ମୁଖ୍ୟଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ମୁଖ୍ୟବକ୍ତା ଭାବେ ସାଂସଦ ଭର୍ତ୍ତୃହରି ମହତାବ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏ ନେଇ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ତଥା ମହାନଗର ନିଗମ ପ୍ରଶାସକ ଅନିଲ କୁମାର ସାମଲଙ୍କ ପୌରୋହିତ୍ୟରେ ସ୍ଥାନୀୟ ସହିଦ ଭବନଠାରେ ସାଧାରଣ ସଭା ଅନୁଷ୍ଠିତ ହେବ ବୋଲି ସିଏମସି କମିଶନର ଶ୍ରୀମତୀ ଦାସ କହିଛନ୍ତି।